ଅକ୍ଷର ବ୍ୟୁରୋ: କଟକ ଜିଲ୍ଲାର ବାଙ୍କୀ ଅଞ୍ଚଳରେ ପୁଣି ଥରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ବାଙ୍କୀ ବ୍ଲକ୍ର ପାଥପୁର ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏକ ୮ ଟିକିଆ ହାତୀପଲ ଜଙ୍ଗଲରୁ ବାହାରି ଲୋକବସତି ମୁହାଁ ହେବାରୁ ଚାଷୀ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ହାତୀପଲ ରାତିସାରା ବିଭିନ୍ନ ଚାଷଜମିରେ ପଶି ଫସଲ ନଷ୍ଟ କରିଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି।
ବନ ବିଭାଗର ସୂଚନା ଅନୁଯାୟୀ, ରାତିରେ ଉପଦ୍ରବ କରିବା ପରେ ଭୋର ସମୟରେ ହାତୀପଲରୁ ଗୋଟିଏ ମାଈ ହାତୀ ଅଲଗା ହୋଇ ମହାନଦୀ କୂଳରେ ରହିଯାଇଥିଲା। ପରେ ସକାଳ ସମୟରେ ହାତୀଟି ବାଙ୍କୀ-କଟକ ମୁଖ୍ୟ ରାସ୍ତା ନିକଟକୁ ଚାଲିଆସିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ପରିବେଶ ସୃଷ୍ଟି ହୋଇଥିଲା। ହଠାତ୍ ରାସ୍ତା ନିକଟରେ ହାତୀକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ। ଖବର ପାଇ ବନ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଗ୍ରାମବାସୀ ଓ ବନ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ମାଈ ହାତୀଟିକୁ ସୁରକ୍ଷିତ ଭାବେ ଘଉଡ଼ାଇ ପୁଣି ଜଙ୍ଗଲ ମଧ୍ୟକୁ ଫେରାଇ ଦିଆଯାଇଛି। ଏହାପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲେ ମଧ୍ୟ ଅଞ୍ଚଳରେ ସତର୍କତା ଜାରି ରହିଛି।
ଅନ୍ୟପଟେ, ବନ ବିଭାଗ ପକ୍ଷରୁ ହାତୀପଲର ଗତିବିଧି ଉପରେ କଡ଼ା ନଜର ରଖାଯାଇଛି। ଗ୍ରାମବାସୀଙ୍କୁ ହାତୀଙ୍କ ନିକଟକୁ ନଯିବା, ସେମାନଙ୍କୁ କୌଣସି ପ୍ରକାର ଉତ୍ତେଜିତ ନକରିବା ଏବଂ ଏକାକୀ ଜଙ୍ଗଲ କିମ୍ବା ନଦୀକୂଳ ଅଞ୍ଚଳକୁ ନଯିବାକୁ ପରାମର୍ଶ ଦିଆଯାଇଛି। ବନ ବିଭାଗ ଲୋକଙ୍କୁ ସତର୍କ ରହିବା ସହ କୌଣସି ସ୍ଥାନରେ ହାତୀ ଦେଖାଗଲେ ତୁରନ୍ତ ବନ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବାକୁ ଅନୁରୋଧ କରିଛି।












Leave a Reply