ଭଦ୍ରକରେ ବନ୍ଧୁକ ମୁନରେ ଦିନଦ୍ୱିପ୍ରହରେ ଲୁଟ୍: ୫ ଡକାୟତଙ୍କ ଆକ୍ରମଣ, ଗାଁ ଲୋକଙ୍କ ହାତରେ ଜଣେ କାବୁ

ଅକ୍ଷର ବ୍ୟୁରୋ: ଭଦ୍ରକ ଜିଲ୍ଲାରେ ବନ୍ଧୁକ ଦେଖାଇ ଦିନଦ୍ୱିପ୍ରହରେ ଲୁଟ୍‌ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଜଗଦଳପୁର ଗାଁରେ ୫ ଜଣ ସଶସ୍ତ୍ର ଦୁର୍ବୃତ୍ତ ଘରେ ପଶି ବନ୍ଧୁକ ଦେଖାଇ ସୁନା ଗହଣା ସହ ପ୍ରାୟ ୭୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ତେବେ ପଳାୟନ ବେଳେ ଗ୍ରାମବାସୀଙ୍କ ତତ୍ପରତା ଯୋଗୁଁ ଜଣେ ଦୁର୍ବୃତ୍ତ ଧରାପଡ଼ିଥିବା ବେଳେ ଅନ୍ୟ ୪ ଜଣ ଫେରାର ହୋଇଯାଇଛନ୍ତି।

ସୂଚନା ଅନୁସାରେ, ଜଗଦଳପୁର ଗାଁର ଅବିନାଶ ଶତପଥୀ ଗତକାଲି ବୋଲବମ ଯାତ୍ରାରେ ପାଣି ନେଇ ଯାଇଥିଲେ। ସେହି ସମୟରେ ଘରେ ତାଙ୍କ ବାପା ଓ ପତ୍ନୀ ଏକାକୀ ଥିଲେ। ଏହାର ସୁଯୋଗ ନେଇ ୫ ଜଣ ଡକାୟତ ଘରେ ପଶି ବନ୍ଧୁକ ଦେଖାଇ ଭୟଭୀତ କରି ସୁନା ଗହଣା ଓ ପ୍ରାୟ ୭୦ ହଜାର ଟଙ୍କା ଲୁଟି ନେଇଥିଲେ। ଲୁଟ୍‌ ସମୟରେ ଘଟଣା ସମ୍ପର୍କରେ ଖବର ପାଇ ଗ୍ରାମବାସୀ ଘରକୁ ଘେରି ଦେଇଥିଲେ। ପରିସ୍ଥିତି ବିଗିଡ଼ୁଥିବା ଦେଖି ୪ ଜଣ ଦୁର୍ବୃତ୍ତ ଘରର ପଛପଟ ଦେଇ ଖସି ପଳାଇବାରେ ସଫଳ ହୋଇଥିଲେ। କିନ୍ତୁ ଜଣେ ଦୁର୍ବୃତ୍ତ ନିକଟସ୍ଥ ବିଲରେ ଲୁଚିଥିବା ବେଳେ ଗ୍ରାମବାସୀ ତାଙ୍କୁ କାବୁ କରି ପୁଲିସକୁ ହସ୍ତାନ୍ତର କରିଥିଲେ।

ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ୨ଟି ବୁଲେଟ ଜବତ କରାଯାଇଥିବା ବେଳେ ଅଟକ ଅଭିଯୁକ୍ତଙ୍କୁ ଜେରା କରାଯାଉଛି। ଫେରାର ଥିବା ଅନ୍ୟ ୪ ଜଣ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଏହି ସଶସ୍ତ୍ର ଲୁଟ୍‌ ଘଟଣା ପରେ ଜଗଦଳପୁର ଗାଁ ସମେତ ଆଖପାଖ ଅଞ୍ଚଳରେ ଭୟର ପରିବେଶ ସୃଷ୍ଟି ହୋଇଥିବା ବେଳେ ଦିନଦ୍ୱିପ୍ରହରେ ଏଭଳି ଅପରାଧ ଘଟଣା ସ୍ଥାନୀୟ ଆଇନଶୃଙ୍ଖଳାକୁ ନେଇ ପ୍ରଶ୍ନ ଉଠାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial