ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ଅନୁ ଗର୍ଗ ।

ଅକ୍ଷର ବ୍ୟୁରୋ: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ଅନୁ ଗର୍ଗ । ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ସରୁଥିବାରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହାସହ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଅନୁ ଗର୍ଗ ଦାୟିତ୍ୱ ନେଇଛନ୍ତି । ଉନ୍ନୟନ କମିସନର ଥିବା ଅନୁ ଗର୍ଗ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଛନ୍ତି । ନୂଆ ବର୍ଷରେ ଓଡ଼ିଶାକୁ ନୂଆ ଶାସନ ସଚିବ ମିଳିଥିବା ବେଳେ ଓଡ଼ିଶା ଇତିହାସରେ ଜଣେ ମହିଳାଙ୍କ ହାତକୁ ଯାଇଛି ମୁଖ୍ୟ ଶାସନ ସଚିବ ପଦବୀ ।

୧୯୯୧ ବ୍ୟାଚର ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ହେଉଛନ୍ତି ଅନୁ ଗର୍ଗ । ପୂର୍ବରୁ ସେ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥିଲେ । ଜଳ ସଂପଦ ଏବଂ ଯୋଜନା ଓ ସଂଯୋଜନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରହିଥିଲେ । ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଶ୍ରମ ବିଭାଗର ମଧ୍ୟ ପ୍ରମୁଖ ସଚିବ ଥିଲେ । ୨୦୦୮ ରୁ ୨୦୧୨ ଯାଏଁ ସ୍ୱାସ୍ଥ୍ୟ କମିସନର ତଥା ସଚିବ ଥିଲେ । କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟରେ ଯୁଗ୍ମ ସଚିବ ଭାବେ ଗୁରୁ ଦାୟିତ୍ୱ ତୁଲାଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ବୟନ ଶିଳ୍ପ ମନ୍ତ୍ରାଳୟ ଆଦିର ଯୁଗ୍ମ ସଚିବ ଭାବେ ଅଭିଜ୍ଞତା ମଧ୍ୟ ରହିଛି । ୧୯୯୨ରୁ ୨୦୦୩ ଯାଏଁ ଥିଲେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ । ଭାରତ ସରକାରଙ୍କ ପ୍ଲାନିଂ କମିସନ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ ଦଳର ସଦସ୍ୟ ଥିଲେ । ଦିଲ୍ଲୀ ଓ ଲକ୍ଷ୍ନୌ ସହ ଆମେରିକାରେ ଉଚ୍ଚଶିକ୍ଷା ଲାଭ କରିଛନ୍ତି ଏହି ବରିଷ୍ଠ ପ୍ରଶାସକ ।

ତେବେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଜି ଅବସର ନେଇଛନ୍ତି । ତାଙ୍କ ପାଇଁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ପତ୍ନୀ ତଥା ଅବସରପ୍ରାପ୍ର ପ୍ରାଶାସନିକ ଅଧିକାରୀ ଆରତୀ ଆହୁଜା ମଧ୍ୟ ଉପସ୍ଥିତ ଥିଲେ । ଉଭୟ ସେମାନଙ୍କର ପ୍ରଶାସନିକ କ୍ୟାରିଅର ଭିତରେ ଓଡ଼ିଶାକୁ ଗଭୀର ଭାବେ ଭଲ ପାଇବା ସଂପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ । ଓଡ଼ିଶାର ବିକାଶ ଓ ଭବିଷ୍ୟତ ପାଇଁ ସେ ସକରାତ୍ମକ ଅଭିବ୍ୟକ୍ତି ଓ ଦୃଢୋକ୍ତି ପ୍ରକାଶ କରିଥିଲେ । ସମସ୍ତ ପ୍ରଶାସନିକ ଅଧିକାରୀମାନଙ୍କୁ ସେମାନଙ୍କର ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।  

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)