ଅକ୍ଷର ବ୍ୟୁରୋ: ବରଗଡ଼ ଧନୁଯାତ୍ରା ଉଦଯାପିତ । କୃଷ୍ଣ ଏବଂ ବଳରାମଙ୍କ ପଦାଘାତରେ ମୋକ୍ଷ ପାଇଛନ୍ତି କଂସ । ଶେଷ ହୋଇଛି ମହାପରାକ୍ରମୀ ମହାରାଜା କଂସଙ୍କ ଅତ୍ୟାଚାର । ଭଣଜା କୃଷ୍ଣ-ବଳରାମଙ୍କ ହାତରେ ନିହତ ହୋଇଛନ୍ତି ମାମୁ । କଂସ ଆତଙ୍କରେ ଥରହର ମଥୁରାନଗରୀକୁ ଶାନ୍ତି ଫେରିଛି । ଘରେ ଘରେ ପାଳିତ ହୋଇଛି ପୁଷପୁନି । ଏଥିସହ ୧୧ଦିନ ବ୍ୟାପୀ ବରଗଡ଼ରେ ଆୟୋଜିତ ବିଶ୍ୱ ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚରେ ଧନୁଯାତ୍ରା ମହୋତ୍ସବ ଉଦଯାପିତ ହୋଇଛି । ମହାରାଜ କଂସଙ୍କ ଡାକରାକ୍ରମେ ମନ୍ତ୍ରୀ ଅକ୍ରୁରଙ୍କ ସଙ୍ଗେ କୃଷ୍ଣ-ବଳରାମ ଗୋପ ଛାଡ଼ି ମଥୁରା ଧନୁଯାତ୍ରା ପରିଭ୍ରମଣ କରିଥିଲେ । ଧନୁଗୃହରେ ରାତ୍ରିଯାପନ କରିଥିବା ବେନିଭ୍ରାତା ନଗର ପରିକ୍ରମାରେ ବାହାରି ପ୍ରଜାଙ୍କ ସହ ମିଶିଥିଲେ । ମାମୁ କଂସ ରଚିଥିବା କପଟ ଧନୁଯାତ୍ରାର ମୀନାବଜାରରେ ଦୁଇ ଭାଇ ପହଞ୍ଚିଥିଲେ ।
ବାଟସାରା ମଥୁରାବାସୀ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ । ଭଣଜାଙ୍କ ଆଗମନ ସୂଚନା ପାଇ କପଟୀ କଂସ ବ୍ୟୁହ ରଚନା କରି ଦୁଇ ଭଣଜାଙ୍କୁ ମାରିବାକୁ ଉଦ୍ୟମ କରିଥିଲେ । ମଞ୍ଚକୁ କୁବଳୟା ହସ୍ତୀ ପଠାଇଥିଲେ । କୃଷ୍ଣଙ୍କ ଗୋଟିଏ ମୁଷ୍ଟିରେ କୁବଳୟା ହସ୍ତୀ ନିହତ ହୋଇଥିଲା । ସମ୍ମୁଖ ଯୁଦ୍ଧରେ ଦୁଇ ମଲ୍ଲ ଚାଣୁର-ମୁଷ୍ଟିକ ପ୍ରାଣ ହରାଇଥିଲେ । ମହାପରାକ୍ରମଶାଳୀ ଶିବଧନୁକୁ ଶ୍ରୀକୃଷ୍ଣ ଓ ହଳଧର ଭାଙ୍ଗିଥିଲେ । ଏହାପରେ ଆରମ୍ଭ କଂସ ଏବଂ କୃଷ୍ଣ-ବଳରାମଙ୍କ ମଧ୍ୟରେ ଭୟଙ୍କର ସମ୍ମୁଖ ଯୁଦ୍ଧ । ଅହଙ୍କାର, ମାନ, ଦର୍ପ ତ୍ୟାଗ କରି ପ୍ରଭୁଙ୍କ ଶରଣାଗତ ହେବା ପରେ କଂସଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ଏହାସହ ଅନ୍ୟାୟ, ଅତ୍ୟାଚାର ଯୁଗର ଅନ୍ତ ।












Leave a Reply