ଅକ୍ଷର ବ୍ୟୁରୋ: ରାଜ୍ୟକୁ ଆହୁରି ଅଧିକ ନିବେଶ ଆସିବ । ସେ ନେଇ ପୁଞ୍ଜିପତି, ଶିଳ୍ପପତି ଓ ନିବେଶକଙ୍କୁ ବୁଝାଇ ଆମ ରାଜ୍ୟକୁ ଆକର୍ଷିତ କରାଯିବ । ଆମ ରାଜ୍ୟରେ କିଭଳି ନିବେଶ ଉପଯୋଗୀ ପରିବେଶ ସୃଷ୍ଟି ହୋଇଛି ତାହା କୁହାଯିବ । ଭିନ୍ନ ଭିନ୍ନ କାର୍ଯ୍ୟାଳୟ ଓ ବିଭାଗକୁ ନ ଦୌଡ଼ି ସିଙ୍ଗଲ ୱିଣ୍ଡୋରେ ସେମାନଙ୍କ ସବୁ ସମସ୍ୟାର ସମାଧାନ ହୋଇପାରିବ । ଏଭଳି ଉଦ୍ଦେଶ୍ୟ ନେଇ ଗୁରୁବାର ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି କୋଲକତାର ‘ସୋନାର ବାଂଲା’ରେ ନିବେଶକ ସମ୍ମିଳନୀ ଚାଲିବ । ଏହି ଦୁଇ ଦିନରେ ୩ଟି ୱାନ୍ ଟୁ ୱାନ୍ ମିଟିଂ ହେବ ।
ଏଥିରେ ମୁଖ୍ୟମନ୍ତ୍ରୀ ଶିଳ୍ପପତି ଓ ନିବେଶକମାନଙ୍କ ସହ ଜଣ ଜଣ କରି କଥା ହେବେ । ସେହିପରି ସମ୍ମେଳନ (କନକ୍ଲେଭ୍)ରେ ଉପସ୍ଥିତ ସମସ୍ତ ପୁଞ୍ଜିପତି, ଶିଳ୍ପପତି ଓ ନିବେଶକଙ୍କୁ ଉଦବୋଧନ ଦେବେ । ଶନିବାର ନିବେଶକ ସମ୍ମିଳନୀ ଶେଷ କରି ଓଡ଼ିଶା ଫେରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ବେଳେ ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ସମେତ ଶିଳ୍ପ ବିଭାଗର ପ୍ରମୁଖ ଅଧିକାରୀ ଉପସ୍ଥିତ ରହିବେ । ଓଡ଼ିଶାରେ ଶିଳ୍ପାୟନର ଏହି ଯାତ୍ରାରେ ପୂର୍ବରୁ ୨୦୨୪ ଡିସେମ୍ବର ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ହାଇଦ୍ରାବାଦ ଗସ୍ତ କରିଥିଲେ । ଏହି ନିବେଶକ ସମ୍ମିଳନୀରେ ରାଜ୍ୟକୁ ୬୭ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ନିବେଶ ପ୍ରସ୍ତାବ ମିଳିଛି । ହାଇଦ୍ରାବାଦ ସମ୍ମିଳନୀରେ ମୋଟ ୧୩ଟି ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଥିଲା ।












Leave a Reply