ଅକ୍ଷର ବ୍ୟୁରୋ: ଜାତୀୟ ପ୍ରାଣୀଉଦ୍ୟାନ ନନ୍ଦନକାନନରେ ୫ କୁମ୍ଭୀରଙ୍କ ମୃତ୍ୟୁ । ଜାନୁଆରୀ ୨୩ରୁ ୩୦ ମଧ୍ୟରେ ମୋଟ ୫ କୁମ୍ଭୀରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁର କାରଣ ଅସ୍ପଷ୍ଟ, କୁମ୍ଭୀରଙ୍କ ପୋଷ୍ଟମର୍ଟମ କଲେ କର୍ତ୍ତୃପକ୍ଷ । ରିପୋର୍ଟ ଆସିବା ପରେ ଜଣାପଡ଼ିବ ମୃତ୍ୟୁର ପ୍ରକୃତ କାରଣ । ଖବର ଅନୁସାରେ ସପ୍ତାହକ ଭିତରେ ନନ୍ଦନକାନନରେ ୫ଟି ବଉଳା କୁମ୍ଭୀର, ୨ଟି ବିରଳ ଧଳା ମୟୂର ଓ ଗୋଟିଏ ଗୁରାଣ୍ଡିକୁ ମିଶାଇ ମୋଟ ୮ଟି ପ୍ରାଣୀଙ୍କର ମୃତ୍ୟୁ ହୋଇଛି । ୩ଟି ଅଣ୍ଡିରା ଓ ୨ଟି ମାଈ କୁମ୍ଭୀରଙ୍କ ମୃତ୍ୟୁ ହୋଇଛି । ସମସ୍ତଙ୍କର ବୟସ ପ୍ରାୟ ୮ ବର୍ଷ ଓ ଲମ୍ବ ମଧ୍ୟ ୮ ଫୁଟ୍ରୁ ଅଧିକ । ଏବେ ଏହି ପ୍ରଜାତିର ମୋଟ ୨୬ଟି କୁମ୍ଭୀର ଜୀବିତ ଅଛନ୍ତି । ଲଗାତାର କୁମ୍ଭୀର ମରିବାରୁ ନନ୍ଦନକାନନ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ି ଓୟୁଏଟି ବିଶେଷଜ୍ଞଙ୍କ ପରାମର୍ଶ ଲୋଡ଼ିଥିଲେ । ତେଣୁ ଶୁକ୍ରବାର ଦିନ ଓୟୁଏଟି ବିଶେଷଜ୍ଞ ଡା. ଆଦିତ୍ୟ ଆଚାର୍ଯ୍ୟ ନନ୍ଦନକାନନ ଆସି କୁମ୍ଭୀରଙ୍କ ଶବ ବ୍ୟବଚ୍ଛେଦ କରାଇବା ସହ ପରୀକ୍ଷା ପାଇଁ ରକ୍ତ ଓ ମାଂସ ନମୁନା ସଂଗ୍ରହ କରିଛନ୍ତି । ରିପୋର୍ଟ ମିଳିବା ପରେ କୁମ୍ଭୀର ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କୁହାଯାଇଛି । କୁମ୍ଭୀରମାନେ ସଂକ୍ରମଣର ଶିକାର ହୋଇ ମରିଛନ୍ତି ବୋଲି ଲକ୍ଷଣରୁ ସନ୍ଦେହ କରାଯାଉଛି । ତେଣୁ ତ୍ବରିତ ପଦକ୍ଷେପ ଭାବେ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ କୁମ୍ଭୀରମାନଙ୍କୁ ସଂକ୍ରମଣ ମୁକ୍ତ କରିବା ପାଇଁ ପ୍ରତିଷେଧକ ଟିକା ଦିଆଯାଇଛି । ଏବଂ କୁମ୍ଭୀର ରହୁଥିବା ଜଳଭଣ୍ଡାରରୁ ଜଳ ନିଷ୍କାସନ କରାଯାଇଛି ।
ନନ୍ଦନକାନନରେ ୫ କୁମ୍ଭୀରଙ୍କ ମୃତ୍ୟୁ; ମୃତ୍ୟୁର କାରଣ ଅସ୍ପଷ୍ଟ, କୁମ୍ଭୀରଙ୍କ ପୋଷ୍ଟମର୍ଟମ କଲେ କର୍ତ୍ତୃପକ୍ଷ ।












Leave a Reply