ଅକ୍ଷର ବ୍ୟୁରୋ: ଗ୍ରାହକଙ୍କୁ ଠକିବା ପଡ଼ିଲା ମହଙ୍ଗା । ଇ-କମର୍ସ ସଂସ୍ଥା ଆମାଜନକୁ ଲାଗିଲା ଝଟକା । ଲାପଟପ୍ ବଦଳରେ ମାର୍ବଲ ପଥର ପଠାଇବା ଘଟଣାରେ ଖାଉଟି ଅଦାଲତରେ ଦଣ୍ଡିତ ହୋଇଛି ଆମାଜନ୍ । ଲାପଟପ୍ ମୂଲ୍ୟ ସାଙ୍ଗକୁ ମକଦ୍ଦମା ବାବଦ ଖର୍ଚ୍ଚ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସମ୍ବଲପୁର ଖାଉଟି ଅଦାଲତ ସମ୍ବଲପୁରର ଡାକ୍ତର ଚୌବର୍ଗ ନାୟକ ଗତବର୍ଷ ଫେବ୍ରୁଆରି ୪ ତାରିଖରେ ଆମାଜନରୁ ଏକ ଲାପଟପ୍ ଅର୍ଡର୍ କରିଥିଲେ । ଅର୍ଡର ତାଙ୍କୁ ୧୨ ଦିନ ପରେ ଡେଲିଭରୀ ହୋଇଥିଲା । ଓପନ ବକ୍ସ ଡେଲିଭରୀ ଥିବାରୁ ଡେଲିଭରୀ ବୟ ପାର୍ସଲ ଓପନ କରିବା ବେଳେ ଲାପଟପ୍ ବଦଳରେ ମାର୍ବଲ ପିସ୍ ବାହାରିଥିଲା ।
ଏହାପରେ ଡାକ୍ତର ବାବୁ ତୁରନ୍ତ ଆମାଜନକୁ ଆଭିଯୋଗ କରିଥିଲେ । ପୋଲିସରେ ରିପୋର୍ଟ କରିଥିଲେ ମଧ୍ୟ ପୋଲିସ ଅଭିଯୋଗ ଶୁଣିନଥିଲା । ସବୁଆଡୁ ନିରାଶ ହେବାପରେ ଡାକ୍ତର ଚୌବର୍ଗ ନାୟକ ଖାଉଟି ଅଦାଲତରେ ମାମଲା ଦାୟର କରିଥିଲେ । ଆମାଜନ୍ ମଧ୍ୟ କୋର୍ଟରେ ହାଜିର ହୋଇ ମାମଲା ଲଢିଥିଲା । ଖାଉଟି ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ଆମାଜନ୍ ଲାପଟପ୍ ମୂଲ୍ୟ ବାବଦରେ ୬୦ହଜାର ୭ଶହ ୯୯ଟଙ୍କା ଓ ଗ୍ରାହକ ସେବାର ଅବହେଳା ପାଇଁ ୨୫ ହଜାର ଟଙ୍କା ଓ ମକଦ୍ଦମା ପରିଚାଳନା ବାବଦରେ ୫ ହଜାର ଟଙ୍କା ଦେବ । ମାସକ ଭିତରେ ଏ ସମସ୍ତ ଟଙ୍କା ନ ଦେଲେ ବାର୍ଷିକ ୯ ପ୍ରତିଶତ ସୁଧ ହାରରେ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଖାଉଟି ଅଦାଲତ ।












Leave a Reply