ଗ୍ରାମୀଣ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା; ୨୦୨୭ ସୁଦ୍ଧା ରାଜ୍ୟର ସବୁ ଗ୍ରାମକୁ ପାଇପ୍ ଜଳ ଯୋଗାଇବାକୁ ନିର୍ଦ୍ଦେଶ ।

ଅକ୍ଷର ବ୍ୟୁରୋ: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଗ୍ରାମୀଣ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମୀକ୍ଷା । ୨୦୨୭ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ଗ୍ରାମକୁ ପାଇପ୍ ଜଳ ଯୋଗାଣ ବ୍ୟବସ୍ଥା କରାଯାଉ । ଏହାକୁ ଏକ ମିଶନ୍ ମୋଡ୍ ରେ କାର୍ଯ୍ୟକାରୀ କରାଯାଉ । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯେପରି ସମସ୍ତ ଗ୍ରାମଗୁଡ଼ିକୁ ପାନୀୟ ଜଳ ସୁବିଧା ଯୋଗାଇ ଦିଆଯିବ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉ ବୋଲି ଏହି ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶାରେ ପାଇପ ପାଣି ବ୍ୟବସ୍ଥା ସମ୍ପୂର୍ଣ୍ଣ କରିବା ପାଇଁ ରାଜ୍ୟ ସରକାର ୫୪ ହଜାର କୋଟି ଟଙ୍କାର ଯୋଜନା କରିଛନ୍ତି । ଜଳ ଜୀବନ ମିଶନ୍ ଯୋଜନାରେ ୩୨, ୧୨୮ କୋଟି ଟଙ୍କାର ପ୍ରାବଧାନ ରହିଥିବା ବେଳେ ଅବଶିଷ୍ଟ ୨୧, ୧୦୯ କୋଟି ଟଙ୍କା ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଯୋଗାଇ ଦେଉଛନ୍ତି ।

ବର୍ତ୍ତମାନ ରାଜ୍ୟର ୪୬, ୫୩୧ ଟି ଗ୍ରାମ ମଧ୍ୟରୁ ୨୧, ୭୨୧ ଟି ଗ୍ରାମରେ ପାଇପ ଜଳ ଯୋଗାଣ ବ୍ୟବସ୍ଥା ଉପଲବ୍ଧ ଅଛି । ଏହା ସହିତ ସୌରଶକ୍ତି, ମେଗା ପାନୀୟ ଜଳ ପ୍ରକଳ୍ପ ଆଦି ବିଭିନ୍ନ ପ୍ରକଳ୍ପ ଗୁଡ଼ିକ ନିର୍ମାଣାଧୀନ ଅଛି । ସମସ୍ତ ପ୍ରକଳ୍ପ ଗୁଡ଼ିକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରି ୨୦୨୭ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମକୁ ପାଇପ ଜଳ ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ୨୦୧୭ରୁ ୧୨ ଜୁନ ୨୦୨୪ ମଧ୍ୟରେ ରାଜ୍ୟରେ ୩ଟି ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଜୁନ ୨୦୨୪ରୁ ବର୍ତ୍ତମାନ ସୁଦ୍ଧା ୨୩ଟି ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ।

ସେହିଭଳି, ଜୁନ୍ ୨୦୨୪ ପରେ ବର୍ତ୍ତମାନ ପର୍ଯ୍ୟନ୍ତ ଅର୍ଥାତ୍ ମାତ୍ର ୨୦ ମାସ ମଧ୍ୟରେ ରାଜ୍ୟରେ ୨,୯୫୧ଟି ଏକକ ଗ୍ରାମ ପ୍ରକଳ୍ପ, ୨,୭୦୨ଟି ସୌର ଶକ୍ତି ପାନୀୟ ଜଳ ପ୍ରକଳ୍ପ, ଏବଂ ୨୬,୧୩୭ଟି ନଳକୂପ ସ୍ଥାପିତ ହୋଇଛି । ବୈଠକରେ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡି.କେ. ସିଂ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ଶାସନ ସଚିବ ଗିରୀଶ ଏସ୍.ଏନ୍, ନିର୍ଦ୍ଦେଶକ ପାନୀୟ ଜଳ ଓ ପରିମଳ ବିନୀତ ଭରଦ୍ୱାଜ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)