ଦାରା ସିଂହଙ୍କ ଦଣ୍ଡ କମିବ କି? ଆଜି ସୁପ୍ରିମକୋର୍ଟରେ ବଡ଼ ଶୁଣାଣି

ଅକ୍ଷର ବ୍ୟୁରୋ: ବହୁଚର୍ଚ୍ଚିତ ଗ୍ରାହମ ଷ୍ଟେନ୍ସ ହତ୍ୟାକାଣ୍ଡର ଦୋଷୀ ଦାରା ସିଂହଙ୍କ ଦଣ୍ଡ ହ୍ରାସ ହେବ କି? ଏହା ଉପରେ ଆଜି ସୁପ୍ରିମକୋର୍ଟରେ ହେବ ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂହଙ୍କ ଦଣ୍ଡ ହ୍ରାସ ସମ୍ପର୍କିତ ଆବେଦନ ଉପରେ ରାଜ୍ୟ ସରକାର ଓ ଓଡ଼ିଶା ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡର ପଦକ୍ଷେପ ଉପରେ ଏବେ ସମସ୍ତଙ୍କ ନଜର ।

ମାମଲାର ପୂର୍ବ ଶୁଣାଣି ସମୟରେ ଦାରା ସିଂହଙ୍କ ଆବେଦନ ଉପରେ ନିଷ୍ପତ୍ତି ନେବାରେ ବିଳମ୍ବ ହେଉଥିବାରୁ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ । ଜଷ୍ଟିସ୍ ମନୋଜ ମିଶ୍ର ଓ ଜଷ୍ଟିସ୍ ବିଜୟ ବିଷ୍ଣୋୟୀଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଯଥାଶୀଘ୍ର ନିଷ୍ପତ୍ତି ନେବାକୁ କହିଥିଲେ । ଗତ ଜୁଲାଇ ୧୪ରେ ମାମଲାର ଶୁଣାଣି ସମୟରେ ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡ ଦାରା ସିଂହଙ୍କ ଆବେଦନ ଉପରେ ଚାଲିଥିବା ପ୍ରକ୍ରିୟାର ସମୀକ୍ଷା କରି ଖଣ୍ଡପୀଠଙ୍କୁ ତୁରନ୍ତ ଅବଗତ କରାଇବ ବୋଲି ଜଣାଇଥିଲା । ହେଲେ ପ୍ରାୟ ଏକ ମାସ ପରେ ମଧ୍ୟ ଏନେଇ କୌଣସି ସୂଚନା ଦିଆଯାଇନଥିଲା । ଏହାକୁ ନେଇ ପୂର୍ବ ଶୁଣାଣିରେ ଖଣ୍ଡପୀଠ ଆପତ୍ତି ଉଠାଇଥିଲେ ।

ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସେପ୍ଟେମ୍ବର ୨ ତାରିଖ ଧାର୍ଯ୍ୟ କରିଥିଲେ ସୁପ୍ରିମକୋର୍ଟ । ଏବେ ଆଜିର ଶୁଣାଣିରେ ରାଜ୍ୟ ସରକାର ଏବଂ ଓଡ଼ିଶା ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ଦାରା ସିଂହଙ୍କ ଆବେଦନ ଉପରେ କି ପଦକ୍ଷେପ ନେଇଛନ୍ତି, ତାହା ସ୍ପଷ୍ଟ ହେବ । ୧୯୯୯ ମସିହାରେ କେନ୍ଦୁଝର ଜିଲ୍ଲାରେ ଅଷ୍ଟ୍ରେଲୀୟ ମିସନାରୀ ଗ୍ରାହମ ଷ୍ଟେନ୍ସ ଏବଂ ତାଙ୍କର ଦୁଇ ନାବାଳକ ପୁଅଙ୍କ ହତ୍ୟା ଘଟଣା ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଏହି ମାମଲାରେ ଦାରା ସିଂହ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି । ଏବେ ତାଙ୍କ ଦଣ୍ଡ ହ୍ରାସ ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟର ଆଜିର ଶୁଣାଣି ଗୁରୁତ୍ୱ ବହନ କରୁଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial