ସୁପ୍ରିମକୋର୍ଟରେ ବାବୁ ସିଂହଙ୍କୁ ଝଟକା, ଖାରଜ ହେଲା SLP

ଭୁବନେଶ୍ୱର: ଏକାମ୍ର ବିଧାୟକ ବାବୁ ସିଂହଙ୍କୁ ସୁପ୍ରିମକୋର୍ଟରେ ବଡ଼ ଝଟକା। ଏକାମ୍ର ନିର୍ବାଚନୀ ମାମଲାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଖାରଜ କରିବା ପାଇଁ ବାବୁ ସିଂହ ଦାଖଲ କରିଥିବା ଏସ୍‌ଏଲ୍‌ପିକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଓଡ଼ିଶା ହାଇକୋର୍ଟଙ୍କ ଫେବ୍ରୁଆରି ୯, ୨୦୨୬ର ରାୟରେ ହସ୍ତକ୍ଷେପ କରିବାକୁ ମଧ୍ୟ ସର୍ବୋଚ୍ଚ ଅଦାଲତ ମନା କରିଛନ୍ତି। ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ଏ.ଜି. ମସିହ ଓ ଜଷ୍ଟିସ୍ ସନ୍ଦୀପ ମେହତାଙ୍କୁ ନେଇ ଗଠିତ ଖଣ୍ଡପୀଠ ବାବୁ ସିଂହଙ୍କ ପକ୍ଷରୁ ଦାଖଲ ଏସ୍‌ଏଲ୍‌ପିର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।

୨୦୨୪ ନିର୍ବାଚନରେ ଏକାମ୍ର ଆସନରୁ ବିଜେପି ପ୍ରାର୍ଥୀ ବାବୁ ସିଂହ ବିଜୟୀ ହୋଇଥିଲେ। ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ପାଇଁ ପରାଜିତ ବିଜେଡି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ୨୦୨୪ରେ ଓଡ଼ିଶା ହାଇକୋର୍ଟରେ ନିର୍ବାଚନୀ ମୋକଦ୍ଦମା ଦାୟର କରିଥିଲେ। ହାଇକୋର୍ଟ ୨୦୨୪ ସେପ୍ଟେମ୍ବର ୧୨ରେ ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହ ବାବୁ ସିଂହଙ୍କୁ ନୋଟିସ୍ ଜାରି କରିଥିଲେ। ଅଶୋକ ପଣ୍ଡାଙ୍କ ନିର୍ବାଚନୀ ମୋକଦ୍ଦମାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଖାରଜ କରିବା ପାଇଁ ବାବୁ ସିଂହ ହାଇକୋର୍ଟରେ ଏକ ଅନ୍ତରୀଣ ଆବେଦନ ଦାଖଲ କରିଥିଲେ। ତେବେ ୨୦୨୬ ଫେବ୍ରୁଆରି ୯ରେ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଥିଲେ।

ଏହି ରାୟକୁ ଚ୍ୟାଲେଞ୍ଜ କରି ବାବୁ ସିଂହ ସୁପ୍ରିମକୋର୍ଟରେ ସ୍ପେଶାଲ୍ ଲିଭ୍ ପିଟିସନ୍‌ (SLP) ଦାଖଲ କରିଥିଲେ। ଏବେ ସୁପ୍ରିମକୋର୍ଟ ମଧ୍ୟ ହାଇକୋର୍ଟଙ୍କ ରାୟରେ ହସ୍ତକ୍ଷେପ କରିବାକୁ ମନା କରିବା ସହ SLPକୁ ଖାରଜ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଏକାମ୍ର ନିର୍ବାଚନୀ ମୋକଦ୍ଦମା ଉପରେ ନଜର ରହିଛି। ମାମଲାରେ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି। ଏବେ ହାଇକୋର୍ଟରେ ଚାଲିଥିବା ମୂଳ ନିର୍ବାଚନୀ ମାମଲାର ପରବର୍ତ୍ତୀ ଶୁଣାଣି ଓ ଦିଗ ଉପରେ ସମସ୍ତଙ୍କ ନଜର।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial