କଟକ: କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଡେଙ୍ଗୁକୁ ନେଇ ବଢ଼ିଲା ଚିନ୍ତା । ଆଜି ବାଙ୍କୀ ଅଞ୍ଚଳରୁ ଦୁଇଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଡମପଡ଼ା ବ୍ଲକ୍ ଅନ୍ତର୍ଗତ ଭେଡ଼ା ରାମଚନ୍ଦ୍ରପୁର ଅଞ୍ଚଳର ୪୦ ବର୍ଷୀୟ ବ୍ୟକ୍ତି । ଅନ୍ୟଜଣେ ଢଂସର ଗ୍ରାମର ପୁରୁଷ ରୋଗୀ ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ, ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ରାଜ୍ୟ ବାହାରେ ରହି କାମ କରୁଥିଲେ । କିଛିଦିନ ତଳେ ସେ ଗାଁକୁ ଫେରିଥିଲେ । ଏହାପରେ ଜ୍ୱରରେ ପଡ଼ିବାରୁ ରକ୍ତ ପରୀକ୍ଷା କରାଯାଇଥିଲା । ପରୀକ୍ଷା ରିପୋର୍ଟରୁ ସେ ଡେଙ୍ଗୁ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ଗତ ମାସ ୨୯ ତାରିଖରେ ତାଙ୍କୁ ଚିକିତ୍ସା ପାଇଁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସାମାନ୍ୟ ସୁଧୁରିଥିବା ଜଣାପଡ଼ିଛି । ଅନ୍ୟ ଡେଙ୍ଗୁ ଆକ୍ରାନ୍ତଙ୍କ ସମ୍ପର୍କରେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନଜର ରଖାଯାଉଥିବା ସୂଚନା ମିଳିଛି ।
ତେବେ ବାଙ୍କୀରେ ଡେଙ୍ଗୁ ଚିହ୍ନଟ ହେବା ପରେ ସ୍ଥାନୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ଚଳିତବର୍ଷ ଡେଙ୍ଗୁ ସଚେତନତା ପାଇଁ ବାଙ୍କୀ ଅଞ୍ଚଳରେ କୌଣସି କାର୍ଯ୍ୟକ୍ରମ କରାଯାଉନଥିବା ଅଭିଯୋଗ ହୋଇଛି । ଏଥିସହ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ପାଇଁ ରୋଗୀ କଲ୍ୟାଣ ସମିତି ପାଣ୍ଠି କିମ୍ବା ମେଡିକାଲକୁ ଆସୁଥିବା ଅର୍ଥରେ ଅନିୟମିତତା ହେଉଥିବା ମଧ୍ୟ ଅଭିଯୋଗ ଉଠିଛି । ଦୁଇଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ପରେ ଏବେ ଅଞ୍ଚଳରେ ଡେଙ୍ଗୁ ନିୟନ୍ତ୍ରଣ, ମଶା ଉତ୍ପତ୍ତିସ୍ଥଳ ନଷ୍ଟ କରିବା ଏବଂ ଜନସଚେତନତା ଦିଗରେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ କି ପଦକ୍ଷେପ ନେଉଛି, ତା’ ଉପରେ ନଜର ରହିଛି ।













Leave a Reply