ଆସନ୍ତା ୧୮ରୁ +୨ ଥିଓରୀ ପରୀକ୍ଷା; ଆଜିଠୁ ୩୦ ଜିଲ୍ଲାର ପରୀକ୍ଷା ପରିଚାଳନା ହବ୍‌କୁ ପଠାଯିବ ପ୍ରଶ୍ନପତ୍ର ।

ଅକ୍ଷର ବ୍ୟୁରୋ: ଆସନ୍ତା ୧୮ରୁ ସିଏଚ୍‌ଏସ୍‌ଇ ଦ୍ୱାରା ପରିଚାଳିତ +୨ ଥିଓରୀ ପରୀକ୍ଷା ଆରମ୍ଭ । ଶୁକ୍ରବାରଠାରୁ ପ୍ରଶ୍ନପତ୍ର ପରିଷଦ ମୁଖ୍ୟାଳୟରୁ ୩୦ ଜିଲ୍ଲାରେ ଥିବା ପରୀକ୍ଷା ପରିଚାଳନା ହବ୍‌କୁ ପଠାଯିବ । ବସ୍‌ରେ ସଶସ୍ତ୍ର ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ର ପଠାଯିବା ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ପ୍ରଥମଥର ପ୍ରଶ୍ନପତ୍ର ଯାଉଥିବା ବସ୍‌ରେ ଜିପିଏସ୍‌ ଲଗାଯାଇଛି । ଆସନ୍ତା ୧୬ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ପ୍ରଶ୍ନପତ୍ର ସମସ୍ତ ୨୧୧ ହବ୍‌ରେ ପହଞ୍ଚିବ । ମାର୍ଚ୍ଚ ୪ରୁ ୬ ଯାଏ ଦ୍ୱିତୀୟ ପର୍ଯ୍ୟାୟରେ ‘ପରୀକ୍ଷା ପରିଚାଳନା ହବ୍‌'(ଇଏମ୍‌ଏଚ୍‌)ଗୁଡ଼ିକୁ ପ୍ରଶ୍ନପତ୍ର ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପଠାଯିବ । ସଶସ୍ତ୍ର ପୁଲିସ ସହ ସିସି କ୍ୟାମେରା ଏବଂ ଏଆଇ ଜରିଆରେ ପ୍ରଶ୍ନପତ୍ର ଉପରେ ତୀକ୍ଷ୍‌ଣ ନଜର ରଖାଯିବ । ପରିଷଦ ମୁଖ୍ୟାଳୟ ସହ ସବୁ ହବ୍‌ର କ୍ୟାମେରା ଓ ଏଆଇକୁ ସଂଯୋଗ କରାଯାଇଛି । ପ୍ରଶ୍ନପତ୍ର ଓ ଉତ୍ତରଖାତା ପ୍ୟାକେଟ୍‌ ପରିବହନ ବେଳେ ସଶସ୍ତ୍ର ପୁଲିସ ମୁତୟନ ହେବେ ।

ପରୀକ୍ଷା ଦିନ ୧୩୫୭ ପରୀକ୍ଷା କେନ୍ଦ୍ର ଓ ୭ଟି ଉପକେନ୍ଦ୍ରକୁ ମିଶାଇ ମୋଟ ୧୩୬୪ କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ । ହବ୍‌ରୁ ପ୍ରଶ୍ନପତ୍ର ପରୀକ୍ଷା ଦିନ ସୁରକ୍ଷା ବଳୟରେ ପୂର୍ବାହ୍ଣ ୮ଟା୩୦ ସୁଦ୍ଧା କେନ୍ଦ୍ରରେ ପହଞ୍ଚିବ । ପୂର୍ବାହ୍ଣ ୯ଟା ୩୦ରେ ପ୍ରଶ୍ନପତ୍ର ପ୍ୟାକେଟ ଧାର୍ଯ୍ୟ ନିୟମ ମୁତାବକ ଖୋଲାଯିବ । ପୂର୍ବାହ୍ଣ ୧୦ଟାରୁ ପରୀକ୍ଷା ଆରମ୍ଭ ହେବ । ଚଳିତ ବର୍ଷ ୪ଲକ୍ଷ ୧ହଜାର ୬୩୨ ଛାତ୍ରଛାତ୍ରୀ ୧୩୬୪ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ । ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷ କିମ୍ବା ବରିଷ୍ଠ ଅଧ୍ୟାପକ ହବ୍‌ ସୁପରଭାଇଜର ଭାବେ ନିଯୁକ୍ତ ହୋଇଛନ୍ତି । ପରୀକ୍ଷା ପରିଚାଳନା ହବ୍‌ର ଷ୍ଟ୍ରଙ୍ଗ୍‌ ରୁମ୍‌ରେ ୨୪ ଘଣ୍ଟିଆ ସିସି କ୍ୟାମେରା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଲିସ ପହରା ବ୍ୟବସ୍ଥା କରାଯାଇଛି । ହବ୍‌ ସୁପରଭାଇଜର କିମ୍ବା ଡେପୁଟି ସୁପରଭାଇଜର ଷ୍ଟ୍ରଙ୍ଗ୍‌ ରୁମ୍‌କୁ ଏକା ଖୋଲି ପ୍ରବେଶ କରିପାରିବେନି। ସେହିପରି ଉଭୟ ମିଳିତ ଭାବେ ପରିଷଦ କର୍ମଚାରୀଙ୍କଠାରୁ ପ୍ରଶ୍ନପତ୍ର ପ୍ୟାକେଟ୍‌ ଗ୍ରହଣ କରିବେ । ପରୀକ୍ଷା କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ୍‌ ସିଲ୍‌ ଥିବା ପ୍ରଶ୍ନପତ୍ର ଗ୍ରହଣ କରିବେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)