ଅକ୍ଷର ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ପୂର୍ବାହ୍ନରେ ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଆସି ବଳଭଦ୍ରପୁର ଗ୍ରାମରେ ଓହ୍ଲାଥିଲେ । ସେଠାରେ ଟେକ୍ସଟାଇଲ ପାର୍କ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସେଠାରେ ଧରଣୀଧର ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ ଏବଂ ଡାଟା ସେଣ୍ଟରର ଶିଳାନ୍ୟାସ କରିଥିଲେ । ଏହି ଅବସରରେ ଏକ ସାଧାରଣ ସଭାରେ ଯୋଗ ଦେଇ ଜିଲ୍ଲା ତଥା ରାଜ୍ୟର ବିକାଶ ପାଇଁ ସରକାରଙ୍କ ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ । ଟ୍ରାଫିକ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ଏବଂ ସଭାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ଇସ୍ପାତ କାରଖାନା ସହିତ ଆଇଟି ଓ ଟେକ୍ସଟାଇଲ କ୍ଷେତ୍ରରେ ରାଜ୍ୟକୁ ସମୃଦ୍ଧ କରିବାକୁ ବିଭିନ୍ନ ଜିଲ୍ଲାରେ ଏଭଳି କାର୍ଯ୍ୟକ୍ରମ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏମ୍ପି ଅନନ୍ତ ନାୟକ, ବିଧାୟକ ଅଖିଳ ନାୟକ, ଡକ୍ଟର ଫକୀର ନାୟକ, ଜିଲ୍ଲାପାଳ ବିଶାଲ ସିଂହ ସମେତ ବହୁ ଉପସ୍ଥିତ ଥିଲେ ।
ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ; ଟେକ୍ସଟାଇଲ ପାର୍କ ପ୍ରକଳ୍ପର ଶିଳାନ୍ୟାସ ସହ ସାଧାରଣ ସଭାରେ ଯୋଗଦାନ ।












Leave a Reply