ଅକ୍ଷର ବ୍ୟୁରୋ: ଆଜି ପବିତ୍ର ମହାଶିବରାତ୍ରୀ । ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ବିଭିନ୍ନ ଶୈବପୀଠ । ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଲାଣି । ରାତି ୧୦ଟାରେ ପ୍ରଭୁ ଲିଙ୍ଗରାଜଙ୍କ ଠାରେ ମହାଦୀପ ଉଠିବ । ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ସୁରୁଖୁରୁରେ ଚାଲଛି ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତି । ସେବାୟତ ମାନେ ବି ନୀତିକାନ୍ତି ଠିକ୍ ସମୟରେ ସରିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ସେଠି ଜିଲ୍ଲାପାଳ, ଡିସିପି ଓ ଅନ୍ୟ ଅଧିକାରୀ ଉପସ୍ଥିତ ଅଛନ୍ତି । ଭକ୍ତଙ୍କ ଦର୍ଶନ ପାଇଁ ଅନୁଧ୍ୟାନ ହୋଇଛି । ଦୀପ ବସାଇବାକୁ ରାତିରେ ଯେପରି ବିଶୃଙ୍ଖଳା ନହୁଏ, ସେଥିପାଇଁ ସ୍ଥାନ ନିର୍ଦ୍ଧାରଣ ହୋଇଛି । ମହାଦୀପ ଠିକ୍ ସମୟରେ ଉଠିବା ନେଇ କାମ ଚାଲଛି । ନୀତିକାନ୍ତି ନିର୍ଦ୍ଧାରିତ ସମୟର ଏକ ଘଣ୍ଟା ପୂର୍ବରୁ ଚାଲିଛି ।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଗତବର୍ଷ ପରି ଏବର୍ଷ ବିଭ୍ରାଟ ହେବନି । ସବୁ ମହାପ୍ରଭୁଙ୍କ ଇଚ୍ଛାରେ ଚାଲେ । ସେ ଆମକୁ ଆଶୀର୍ବାଦ ଦେଇଛନ୍ତି । ପାସ୍ ବିଭ୍ରାଟ ଆଦୌ ହୋଇନି । ଗତଥର କିଛି ଦୁର୍ବୃତ୍ତ ପାସ୍କୁ ଜେରକ୍ସ କରିଥିଲେ । ଏଥର ତାହା ଯେପରି ନ ହୁଏ, ସେଥିପାଇଁ ପାସ୍ରେ କ୍ୟୁଆର୍ କୋଡ୍ ଲଗାଯାଇଛି । ଥରେ ଏହା ସ୍କାନ୍ ହେଲେ, ଦ୍ଵିତୀୟ ଥର ଆଉ କେହି ପଶିପାରିବେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ସମୀକ୍ଷା ବୈଠକ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଇନ ମନ୍ତ୍ରୀଙ୍କ ବୈଠକ ପରେ ଦିନ ୧ଟାରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ରତ୍ନଭଣ୍ଡାର SOP ହସ୍ତଗତ ହୋଇଛି, ସମୀକ୍ଷା ପରେ ସବୁ ସ୍ପଷ୍ଟ ହେବ ବୋଲି କହିଛନ୍ତି ମନ୍ତ୍ରୀ ।












Leave a Reply