ଅକ୍ଷର ବ୍ୟୁରୋ: ଢେଙ୍କାନାଳର କପିଳାସ ଶୈବପୀଠ ଶ୍ରୀଚନ୍ଦ୍ରଶେଖର ଜୀଉଙ୍କ ସ୍ୱାଭାବିକ ହେଲା ନୀତିକାନ୍ତି । ଉପଜିଲ୍ଲାପାଳଙ୍କ କ୍ଷମା ପ୍ରାର୍ଥନା ଓ ପ୍ରତିଶ୍ରୁତି ପରେ ସେବାୟତଙ୍କ ଧାରଣା ହଟିଛି । ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ୨୦ ତାରିଖରେ ବସିବ ଗୁରୁତ୍ବପୁର୍ଣ୍ଣ ବୈଠକ । ଏହି ବୈଠକରେ ସେବାୟତ ଛତିଶାନିଯୋଗ ଓ ପ୍ରଶାସନ ଉପସ୍ଥିତିରେ ଅବ୍ୟବସ୍ଥା ନେଇ ଆଲୋଚନା ହେବ । ପୁଲିସର ମନମାନିକୁ ନେଇ ସେବାୟତ ମାନେ ନୀତିକାନ୍ତି ବନ୍ଦ କରିଥିଲେ । ମହାଶିବରାତ୍ରିରେ ମହାବିଭ୍ରାଟ ଦେଖାଦେଇଥିଲା ।
ସୂଚନା ଅନୁଯାୟୀ ମହାପ୍ରଭୁଙ୍କ ପାଇଁ ଚକାପିଠା ପ୍ରସ୍ତୁତି ପାଇଁ ବଟା ହୋଇଥିବା ବିରି ଓ ନାଗାଉରଣ ବେଶ ପାଇଁ ଅଳଙ୍କାର ଦେଓଗାଁ ଜଗନ୍ନାଥ ମନ୍ଦିରରୁ ସେବାୟତମାନେ ନେଇ ଯାଉଥିବାବେଳେ ବାରବାଙ୍କ ରାସ୍ତାରେ ପୋଲିସ ସେବାୟତଙ୍କୁ ଛାଡ଼ିନଥିଲେ । ଏହାର ପ୍ରତିବାଦରେ ସେବାୟତମାନେ ଧାରଣା ଦେଇଥିଲେ । ଦେବୋତ୍ତର ବିଭାଗ ଅଧିକାରୀ ଓ କର୍ମଚାରୀମାନେ ବୁଝାସୁଝା କରି ବିଫଳ ହୋଇଥିଲେ । ମହାଶିବରାତ୍ରୀରେ ମହାପ୍ରଭୁ ଉପବାସରେ ରହିବାକୁ ନେଇ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ପୋଲିସର ଏଭଳି କାର୍ଯ୍ୟକୁ ନିନ୍ଦା କରାଯାଇଛି । ଜିଲ୍ଲା ପ୍ରଶାସନ ସେବାୟତମାନଙ୍କ ସହ ଆଲୋଚନା ପରେ ନୀତିକାନ୍ତି ସ୍ୱାଭାବିକ ହୋଇଛି । ଆସନ୍ତା ୨୦ ତାରିଖରେ ପ୍ରଶାସନ ସହ ଆଲୋଚନା ପାଇଁ ପ୍ରତିଶୃତି ମିଳିବା ପରେ ସ୍ୱାଭାବିକ ହୋଇଥିଲା ନୀତିକାନ୍ତି ।












Leave a Reply