ଅକ୍ଷର ବ୍ୟୁରୋ: ଜଳିଗଲା ଲୁଗା ବ୍ୟବସାୟୀଙ୍କ ଘର । କେନ୍ଦୁଝର ଜିଲ୍ଲା ବଡ଼ବିଲର ଜଣେ ଲୁଗା ବ୍ୟବସାୟୀଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ । ବଡ଼ବିଲ ମ୍ୟୁନିସିପାଲଟି ୬ ନମ୍ବର ୱାର୍ଡ ମନି ଟାୱାର ନିକଟରେ ଲାଗିଲା ନିଆଁ । ତୁଳା ଗୋଦାମ ଓ ଅଫିସ ଷ୍ଟେସନାରୀ ନିଆଁରେ ଜଳି ଭସ୍ମୀଭୂତ ହୋଇଛି । ଷ୍ଟକ୍ ଥିବା ତୁଳାରୁ ନିଆଁ ଲାଗି ୨ଟି ଷ୍ଟେସନାରୀ ଦୋକାନକୁ ବ୍ୟାପିଥିଲା । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ । ଭୋର ୪ଟା ବେଳକୁ ନିଆଁ ଲାଗିଥିଲା । ୪ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ପରିବାରର ୯ ଜଣ ସଦସ୍ୟ । ଅଗ୍ନିକାଣ୍ଡର କାରଣ ଏବେବି ଅସ୍ପଷ୍ଟ ରହିଛି । ଖରା ଦିନ ଯୋଗୁ ବାହାର ନିଆଁ ପବନରେ ଉଡ଼ି ଆସି କିମ୍ବା କେହି ଦୁବୃର୍ତ୍ତ ଜାଣିଶୁଣି ବ୍ୟବସାୟୀଙ୍କ ତଳ ମହଲରେ ଥିବା ତୁଳା ଓ ଗଦି ସାମଗ୍ରୀରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ପୁଲିସ୍ ପହଞ୍ଚି ଅଗ୍ନିକାଣ୍ଡର ତଦନ୍ତ କରୁଥିବା ଜଣାଯାଇଛି ।
ମିଳିଥିବା ଖବରରୁ, ଲୁଗା ବ୍ୟବସାୟୀ ହେଉଛନ୍ତି ବଡ଼ବିଲର ନାମୀଦାମୀ ଲୁଗା ଦୋକାନ ‘ପରିବାର କ୍ଲୋଥ ଷ୍ଟୋର’ ମାଲିକ ରୋହତାଶ ଅଗ୍ରୱାଲ । ଆଜି ଭୋର୍ ପ୍ରାୟ ୪ ଘଣ୍ଟିକାରେ ବ୍ୟବସାୟୀଙ୍କ ବାସଭବନରୁ ପ୍ରବଳ ଧୂଆଁ ବାହାରୁଥିବା ଜଣେ ପଥଚାରୀ ଦେଖିବାକୁ ପାଇଥିଲେ । ସେ ସଙ୍ଗେ ସଙ୍ଗେ ବ୍ୟବସାୟୀଙ୍କ ଘର କବାଟ ବାଡେଇ ପରିବାର ଲୋକଙ୍କୁ ନିଆଁ ଲାଗିବା ନେଇ ଖବର ଦେବାପରେ, ସଙ୍ଗେ ସଙ୍ଗେ ଦ୍ଵିତୀୟ ମହଲରେ ରହୁଥିବା ପରିବାରର ଜଣେ ୩ ବର୍ଷର ଝିଅ, ଜଣେ ଦେଢ଼ ବର୍ଷର ଝିଅ ସହିତ ପରିବାରର ସମୁଦାୟ ୯ ଜଣ ପ୍ରାଣ ବିକଳରେ ସୁରକ୍ଷିତ ରାସ୍ତା ଦେଇ ପଦାକୁ ବାହାରି ଆସିଥିଲେ । ସଙ୍ଗେ ସଙ୍ଗେ ବଡ଼ବିଲ ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେହେଁ ନିଆଁ ତଳ ମହଲା ଓ ପ୍ରଥମ ମହଲାରେ ବ୍ୟାପି ଯାଇଥିଲା । ଅଗ୍ନିଶମ ବିଭାଗର ଗୋଟିଏ ଦମକଳ ନିଆଁକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇନଥିବାବେଲେ, ନିକଟସ୍ଥ ବିଲେଇପଦା ଅଗ୍ନିଶମ ବିଭାଗ ଓ ଘରୋଇ ଜିନ୍ଦଲ କମ୍ପାନୀର ସମୁଦାୟ ୪ ଗୋଟି ଦମକଳ ଗାଡ଼ି ଅକ୍ଲାନ୍ତ ପରିଶ୍ରମ କରି ଦୀର୍ଘ ୪ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ ।












Leave a Reply