ଅକ୍ଷର ବ୍ୟୁରୋ: ରାଜ୍ୟରେ ଧାନ ସଂଗ୍ରହ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଯେଉଁଥିପାଇଁ ରାଜ୍ୟର ଚାଷୀକୁଳ ହତାଶ ହୋଇପଡ଼ିଛନ୍ତି । ତେଣୁ ଚାଷୀଙ୍କ ସ୍ୱାର୍ଥ ପାଇଁ ବିଜେଡି ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ଲୋୟର ପିଏମ୍ଜିଠାରେ ଏକ ବିଶାଳ ବିକ୍ଷୋଭ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଦଳ ପକ୍ଷରୁ ସୂଚନ ଦିଆଯାଇଛି । ଶଙ୍ଖ ଭବନଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ରାଜ୍ୟରେ ଧାନ ସଂଗ୍ରହ ବ୍ୟବସ୍ଥା ସହିତ ଆଇନ ଶୃଙ୍ଖଳା ବ୍ୟବସ୍ଥା ଓ ମହିଳା ସୁରକ୍ଷା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଚଳିତ ବର୍ଷ ରାଜ୍ୟରେ ଧାନ ସଂଗ୍ରହ କାର୍ଯ୍ୟକ୍ରମ ପ୍ରଥମ ଦିନରୁ ଅବ୍ୟବସ୍ଥା ଲାଗି ରହିଛି । ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ, ଟୋକନ ବିତରଣ, ମଣ୍ଡିରେ ଧାନ ସଂଗ୍ରହ ବ୍ୟବସ୍ଥା, କଟ୍ନି ଛଟ୍ନି ଇତ୍ୟାଦି ରାଜ୍ୟର ଚାଷୀମାନଙ୍କୁ ନାହିଁ ନ ଥିବା ଅସୁବିଧାରେ ପକାଇଛି ।
ରାଜ୍ୟର ପ୍ରତି ବ୍ଲକରେ ଓ ଜିଲ୍ଲାରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଉଛନ୍ତି । କିନ୍ତୁ ରାଜ୍ୟ ସରକାର ଚାଷୀମାନଙ୍କ ସମସ୍ୟାକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନାହାନ୍ତି । ରାଜ୍ୟର ଚାଷୀ ସମୁଦାୟକୁ ପ୍ରତିଶ୍ରୁତିରେ ପୋତି ପକାଇ ଭୋଟ ହାତେଇବା ପରେ ଏବେ ଚାଷୀମାରଣ ନୀତି ଆପଣେଇଛନ୍ତି । ତେଣୁ ଏହି ନୀତି ବିରୋଧରେ ବିଜେଡି ପକ୍ଷରୁ ଏକ ବିଶାଳ ବିକ୍ଷୋଭ ଆୟୋଜନ କରାଯିବ । ବିଜେଡି ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଗତ ୨ ତାରିଖରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଷୀଙ୍କୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏହି ଅବସରରେ ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଏବଂ ସଞ୍ଜୟ ଦାସବର୍ମା ଉପସ୍ଥିତ ଥିଲେ ।












Leave a Reply