୫ ଦିନିଆ ଓଡିଶା ଗସ୍ତରେ ଆସି ପହଞ୍ଚିଛନ୍ତି ଟ୍ରିବ୍ୟୁନାଲ୍ ଟିମ୍; ଆଜିଠୁ ମହାନଦୀ ଜଳ ବିବାଦର କରିବେ ଅନୁଧ୍ୟାନ ।

ଅକ୍ଷର ବ୍ୟୁରୋ: ଆଜିଠୁ ମହାନଦୀ ଜଳ ବଣ୍ଟନ ବିବାଦର ଅନୁଧ୍ୟାନ କରିବ ଟ୍ରିବ୍ୟୁନାଲ୍ ଟିମ୍ । ଏଥିପାଇଁ ଗତକାଲିଠୁ ଝାରସୁଗୁଡ଼ାରେ ଆସି ପହଞ୍ଚିଛନ୍ତି ୧୦ ଜଣିଆ ଟିମ୍ । ଟ୍ରିବ୍ୟୁନାଲ୍ ଅଧ୍ୟକ୍ଷା ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀଙ୍କ ନେତୃତ୍ୱରେ ୫ ଦିନିଆ ଓଡିଶା ଗସ୍ତରେ ଆସି ପହଞ୍ଚିଛନ୍ତି ଟିମ୍ । ଟିମରେ ଜଷ୍ଟିସ୍ ଡ. ଦେବୀ ରଞ୍ଜନ ଏବଂ ଜଷ୍ଟିସ୍ ଇନ୍ଦରମିତ କୌର କୋଚରଙ୍କ ସମେତ ୩ ଜଣିଆ ଖଣ୍ଡପୀଠ ସାମିଲ ଅଛନ୍ତି । ଏହି ଟିମ୍ ୫ ଦିନ ଧରି ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯିବେ ।

ଆଜି ଟ୍ରିବ୍ୟୁନାଲ୍ ସଦସ୍ୟମାନେ ହୀରାକୁଦ ଡ୍ୟାମ୍ ଅଭିମୁଖେ ଯାଇ ଏହାର ସ୍ପିଲୱେ, ପାୱାର ହାଉସ୍ ଏବଂ କମାଣ୍ଡ ଏରିଆ ବୁଲି ଦେଖିବେ । ଏହା ବ୍ୟତୀତ ଚିପିଲିମା ପାୱାର ହାଉସର ବାସ୍ତବିକ ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ଏହାପରେ ୩ ଦିନ ଧରି ପୁରୀ, କୋଣାର୍କ, ସାତପଡ଼ା, ଚିଲିକା, ଲିଙ୍ଗରାଜ ମନ୍ଦିର ଭଳି ବିଭିନ୍ନ ଦର୍ଶନୀୟ ସ୍ଥାନ ଓ ପର୍ଯ୍ୟଟନସ୍ଥଳୀ ବୁଲିବା କାର୍ଯ୍ୟକ୍ରମ ରହିଛି ।

ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦ ଅନେକ ବର୍ଷ ହେଲା ରହିଛି । ଟ୍ରିବ୍ୟୁନାଲରେ ଝୁଲିରହିଛି ମହାନଦୀର ଭାଗ୍ୟ । ଗତ ୮ ବର୍ଷ ହେଲାଣି ମହାନଦୀ ଟ୍ରିବ୍ୟୁନାଲ ଗଠନ ହେଲାଣି । ଆଜି ପର୍ଯ୍ୟନ୍ତ ପ୍ରାୟ ୩୫ ଥରରୁ ଅଧିକ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଆଲୋଚନା ସତ୍ତ୍ୱେ କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ବର୍ତ୍ତମାନ କେନ୍ଦ୍ର ଓ ଉଭୟ ରାଜ୍ୟରେ ବିଜେପି ସରକାର ଥିବାରୁ, ଆପୋଷ ବୁଝାମଣା ମାଧ୍ୟମରେ ସମାଧାନର ବାଟ ଫିଟିପାରେ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)