ଅକ୍ଷର ବ୍ୟୁରୋ: ଦୁବାଇରେ ବିଶ୍ୱ ଦରବାରରେ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ପରମ୍ପରାକୁ ପହଞ୍ଚାଇବା ପାଇଁ ବଡ଼ ପଦକ୍ଷେପ। ଓଡ଼ିଶାର ବିଭିନ୍ନ ଜିଲ୍ଲାର ସ୍ୱତନ୍ତ୍ର କଳା ଓ ହସ୍ତଶିଳ୍ପକୁ ଏକାଠି କରି ଦୁବାଇରେ ‘ୱାନ୍ ଡିଷ୍ଟ୍ରିକ୍ଟ, ୱାନ୍ ପ୍ରଡକ୍ଟ’ (ODOP) ଗ୍ୟାଲେରୀ ଉଦ୍ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଗ୍ୟାଲେରୀର ଉଦ୍ଘାଟନ କରିଛନ୍ତି।ଗ୍ୟାଲେରୀରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଅନନ୍ୟ କଳା ଓ ହସ୍ତଶିଳ୍ପ ସ୍ଥାନ ପାଇଛି। ଏଥିରେ ସମ୍ବଲପୁରୀ ଶାଢ଼ି, କଟକର ମଣିଆବନ୍ଧା ହସ୍ତତନ୍ତ, କଟକର ରୂପା ତାରକସୀ, ରାୟଗଡ଼ାର ଡୋଙ୍ଗରିଆ ଶାଲ, କେନ୍ଦୁଝରର ଟେରାକୋଟା ମୂର୍ତ୍ତି, ବାଲେଶ୍ୱରର ବ୍ଲାକ୍ ଗ୍ରାନାଇଟ୍ ଆଧୁନିକ ମୂର୍ତ୍ତି ସହ ପୁରୀର ପଟ୍ଟଚିତ୍ର ଓ ତାଳପତ୍ର ଖୋଦେଇ କଳା ପ୍ରଦର୍ଶିତ ହୋଇଛି।
ଏହି ODOP ଗ୍ୟାଲେରୀ ମାଧ୍ୟମରେ ଓଡ଼ିଶାର କାରିଗରଙ୍କ ପାରମ୍ପରିକ ଦକ୍ଷତା, ସୃଜନଶୀଳତା ଓ ସାଂସ୍କୃତିକ ପରିଚୟକୁ ବିଶ୍ୱ ବଜାର ସହ ଯୋଡ଼ିବାର ଉଦ୍ୟମ କରାଯାଇଛି। ଏହା କେବଳ ଓଡ଼ିଶାର କଳା ଓ ହସ୍ତଶିଳ୍ପକୁ ବିଶ୍ୱସ୍ତରରେ ପରିଚିତ କରାଇବ ନାହିଁ, ବରଂ ସ୍ଥାନୀୟ କାରିଗର ଓ ଉଦ୍ୟୋଗୀଙ୍କ ପାଇଁ ନୂଆ ବଜାର ସୃଷ୍ଟି କରିବାରେ ମଧ୍ୟ ସହାୟକ ହେବ। ବିଶେଷକରି ମହିଳା ଉଦ୍ୟୋଗୀଙ୍କୁ ନୂଆ ବଜାର ସହ ଯୋଡ଼ିବା, ରୋଜଗାର ଓ ଉଦ୍ୟମିତାର ସୁଯୋଗ ବଢ଼ାଇବା ସହ ଓଡ଼ିଶାର ପାରମ୍ପରିକ ଉତ୍ପାଦର ରପ୍ତାନି ସମ୍ଭାବନାକୁ ବଢ଼ାଇବା ଦିଗରେ ଏହି ପ୍ରଦର୍ଶନୀ ଗୁରୁତ୍ୱ ବହନ କରୁଛି। ସ୍ଥାନୀୟ କାରିଗରଙ୍କ ହାତ ତିଆରି କଳାକୃତିକୁ ବିଶ୍ୱ ବଜାରରେ ପହଞ୍ଚାଇବା ସହ ‘Local to Global’ ଯାତ୍ରାକୁ ଆହୁରି ସୁଦୃଢ଼ କରିବାରେ ଦୁବାଇର ODOP ଗ୍ୟାଲେରୀ ଓଡ଼ିଶା ପାଇଁ ଏକ ନୂଆ ଦିଗ ଖୋଲିଛି।












Leave a Reply