ଆକାଶରୁ ଖସୁଛି ନିଆଁ, ପ୍ରବଳଖରା ଏବଂ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ; ଆସନ୍ତା ୩ ରୁ ୪ ଦିନ ଯାଏଁ ହିଟ୍ ୱେଭ୍ ଆଲର୍ଟ ଜାରି ।

ଅକ୍ଷର ବ୍ୟୁରୋ: ପ୍ରବଳ ଖରା ଏବଂ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଉପାନ୍ତରୁ ଉପକୂଳ, ପଶ୍ଚିମରୁ ଦକ୍ଷିଣ ସବୁଠି ଏବେ ଆଉଟ ପାଉଟୁ ସ୍ଥିତି । ଆକାଶରୁ ଖସୁଛି ନିଆଁ, ସକାଳ ୯ ଟାରୁ ଘରୁ ବାହାରିବା ମୁସ୍କିଲ୍ ହୋଇ ପଡୁଛି । ବାହାରକୁ ବାହାରିଲେ ଦେହହାତ ପୋଡି ଯାଉଛି । ସାରା ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଲାଗି ରହିଛି । ଆସନ୍ତା ୩ ରୁ ୪ ଦିନ ଯାଏଁ ହିଟ୍ ୱେଭ୍ ଆଲର୍ଟ ଜାରି କରାଯାଇଛି । ପଶ୍ଚିମ ଓଡ଼ିଶାରେ ୪୫ ଡିଗ୍ରୀ ଟପିପାରେ ତାପମାତ୍ରା । ଉପକୂଳ ଓଡ଼ିଶାକୁ କଲବଲ କରିବ ଅସହ୍ୟ ଗରମ । ଟ୍ଵିନ୍ ସିଟିରେ ପାରଦ ୪୦ ଡିଗ୍ରୀ ଆଶଙ୍କା କରାଯାଇଥିବା ବେଳେ ଦିନ ସାଢେ ୧୧ଟା ସୁଦ୍ଧା ୪୧ ଡିଗ୍ରୀରେ ଜଳୁଛି ଝାରସୁଗୁଡ଼ା ।

ସେହିପରି ୪୦ ଡିଗ୍ରୀ ଛୁଇଁଛି ସମ୍ବଲପୁର ଏବଂ ହୀରାକୁଦ ତାତି। ରାଜଧାନୀରେ ସାଢେ ୧୧ ସୁଦ୍ଧା ୩୭.୬ ଡିଗ୍ରୀ ଛୁଇଁଛି ପାରଦ । ରାଉରକେଲାରେ ୩୭ ଡିଗ୍ରୀ, ବାଲେଶ୍ବର ଓ ଚାନ୍ଦବାଲିରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆର୍ଦ୍ରତା ପରିମାଣ ଅଧିକ ଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ୧୫ ଦିନ ଯାଏ ଆହୁରି କଲବଲ କରିବ ତାତି । ଏମିତି କିଛି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେପଟେ ଡହ ଡହ ଖରାରେ ସିଝୁଛି ସୁବର୍ଣ୍ଣପୁର ଜିଲ୍ଲା । ପ୍ରାୟ ୪୩ ଡିଗ୍ରୀ ଉପରେ ରହୁଛି ଦିନର ତାପମାତ୍ରା । ରାତିରେ ବି ତାପମାତ୍ରା ୩୧ ଡିଗ୍ରୀ ତଳକୁ ଖସୁନାହିଁ ପାରଦ । ପ୍ରବଳ ଗ୍ରୀଷ୍ମପ୍ରବାହରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ଏପଟେ ଦିନରେ ତାତି କଲବଲ କରୁଥିବା ବେଳେ ସଂଧ୍ୟାରେ କାଳବୈଶାଖୀ ଉଜାଡୁଛି । ଅପରାହ୍ନରେ କିଛି ସ୍ଥାନରେ ଝଡ଼ବର୍ଷା ହୋଇପାରେ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି । ଆଜି ପାଇଁ ୮ ଜିଲ୍ଲାରେ ଝଡ଼ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଗତକାଲି ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଥିଲା । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)