ଧରାକୋଟରେ ବଡ଼ ଚୋରିକାଣ୍ଡ: ଘରେ ପଶି ୨ ଲକ୍ଷ ଟଙ୍କା ସହ ୧୬ ଭରି ସୁନା ଲୁଟିନେଲେ ଦୁର୍ବୃତ୍ତ

ଅକ୍ଷର ବ୍ୟୁରୋ: ଗଞ୍ଜାମ ଜିଲ୍ଲାର ଧରାକୋଟ ଅଞ୍ଚଳରେ ବିଳମ୍ବିତ ରାତିରେ ଘଟିଛି ଏକ ବଡ଼ ଧରଣର ଚୋରିକାଣ୍ଡ। ଘର ଲୋକ ଗଭୀର ନିଦ୍ରାରେ ଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ ପଶି ନଗଦ ୨ ଲକ୍ଷ ଟଙ୍କା ସହ ପ୍ରାୟ ୧୬ ଭରି ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଏହି ଘଟଣା ଧରାକୋଟ ଥାନା ଅନ୍ତର୍ଗତ ପଙ୍କଳବାଡ଼ି ଗାଁରେ ଘଟିଥିବା ବେଳେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ସୂଚନା ଅନୁଯାୟୀ, ପଙ୍କଳବାଡ଼ି ଗାଁର ବ୍ୟବସାୟୀ ପୀତବାସ ଗୌଡ଼ଙ୍କ ଘରକୁ ଟାର୍ଗେଟ୍ କରିଥିଲେ ଦୁର୍ବୃତ୍ତ। ରାତିରେ ପରିବାରର ସଦସ୍ୟମାନେ ବାରଣ୍ଡାରେ ଶୋଇଥିବା ବେଳେ ଚୋରମାନେ ଚତୁରତାର ସହ ଘର ଭିତରକୁ ପ୍ରବେଶ କରିଥିଲେ। ଘର ଭିତରକୁ ପଶିବା ପରେ ଦୁର୍ବୃତ୍ତମାନେ ଆଲମିରା ଏବଂ ଲକର ଭାଙ୍ଗି ନଗଦ ୨ ଲକ୍ଷ ଟଙ୍କା ସହ ପ୍ରାୟ ୧୬ ଭରି ସୁନା ଅଳଙ୍କାର ଲୁଟି ନେଇଥିଲେ। ଚୋରି ପରେ କେହି ତୁରନ୍ତ ସେମାନଙ୍କ ପିଛା କରିପାରିବେ ନାହିଁ ବୋଲି ଯୋଜନାବଦ୍ଧ ଭାବେ ଘରର ଦ୍ୱାରକୁ ଭିତର ପଟୁ ତାଲା ପକାଇ ଫେରାର ହୋଇଯାଇଥିଲେ।

ସକାଳେ ପରିବାର ଲୋକ ଉଠିବା ପରେ ଘରେ ଚୋରି ହୋଇଥିବା ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆଲମିରା ଭଙ୍ଗା ଅବସ୍ଥାରେ ଥିବା ସହ ଟଙ୍କା ଓ ସୁନା ଗାଏବ ଥିବା ଦେଖି ତୁରନ୍ତ ଧରାକୋଟ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟେରାଙ୍କ ସନ୍ଧାନ ପାଇଁ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ସଂଗ୍ରହ କରାଯାଉଥିବା ବେଳେ ସନ୍ଦେହଜନକ ବ୍ୟକ୍ତିଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ଗୋଟିଏ ରାତିରେ ଲକ୍ଷାଧିକ ଟଙ୍କା ଓ ବିପୁଳ ପରିମାଣର ସୁନା ଲୁଟ୍ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଅସୁରକ୍ଷା ଭାବନା ବଢ଼ିଛି। ଏହି ଚୋରିକାଣ୍ଡ ପଛରେ କୌଣସି ସଂଗଠିତ ଗ୍ୟାଙ୍ଗର ହାତ ରହିଛି କି ନାହିଁ, ତାହାକୁ ନେଇ ମଧ୍ୟ ପୁଲିସ ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)