ଏଲ୍‌ଇଡି ଷ୍ଟ୍ରିଟ୍ ଲାଇଟ୍ ଦୁର୍ନୀତିରେ ଭିଜିଲାନ୍ସର ବଡ଼ ଆକ୍ସନ୍! ୩ କୋଟି ଟଙ୍କା ହେରଫେର ଅଭିଯୋଗରେ ୩ ଠିକାଦାର ଗିରଫ

ଅକ୍ଷର ବ୍ୟୁରୋ: ରାଜ୍ୟରେ ଏଲ୍‌ଇଡି ଷ୍ଟ୍ରିଟ୍ ଲାଇଟ୍ ସଂଯୋଗୀକରଣ ନାଁରେ ହୋଇଥିବା କଥିତ ଦୁର୍ନୀତି ମାମଲାରେ ଭିଜିଲାନ୍ସ ପକ୍ଷରୁ ହୋଇଛି ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ। ନୟାଗଡ଼, ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ପ୍ରାୟ ୩ କୋଟି ଟଙ୍କାର ଅନିୟମିତତା ଓ ଦୁର୍ନୀତି ଅଭିଯୋଗରେ ୩ ଜଣ ଠିକାଦାରଙ୍କୁ ଗିରଫ କରିଛି ଭିଜିଲାନ୍ସ। ତଦନ୍ତରେ ନୟାଗଡ଼ ଜିଲ୍ଲାରେ ଏଲଇଡି ସଂଯୋଗ ଦାୟିତ୍ବ ନେଉଥିବା ଠିକାଦାର ଗିରିଜା ଶଙ୍କର ଦାସ, ଯାଜପୁରରେ କାର୍ଯ୍ୟ ନେଇଥିବା ଧରଣୀଧର ସାହୁ, ଏବଂ କେନ୍ଦୁଝରରେ ଏଲଇଡି ଟେଣ୍ଡର ନେଇଥିବା ବିଭୂତି ଭୂଷଣ ବିଶ୍ବାଳଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଏହି ଘଟଣାକୁ ନେଇ ଭିଜିଲାନ୍ସ ପକ୍ଷରୁ ପୃଥକ ଭାବେ ୩ଟି ମାମଲା ରୁଜୁ କରାଯାଇଛି। ଅନିୟମିତ ଟେଣ୍ଡର ପ୍ରକ୍ରିୟା, ଖର୍ଚ୍ଚ ବୃଦ୍ଧି ଏବଂ ସରକାରୀ ଅର୍ଥର ଅପବ୍ୟବହାର ସମ୍ପର୍କରେ ଅଧିକ ଖୋଳତାଡ଼ ଚାଲିଥିବା ସୂଚନା ମିଳିଛି। ନବୀନ ସରକାରଙ୍କ ସମୟରେ ଗ୍ରାମାଞ୍ଚଳରେ ଆଧୁନିକ ଆଲୋକ ବ୍ୟବସ୍ଥା ପାଇଁ ବିଭିନ୍ନ ପଞ୍ଚାୟତରେ ଏଲ୍‌ଇଡି ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଥିଲା। ‘ଆମ ଗାଁ ଆମ ବିକାଶ’ ଯୋଜନାରେ ମିଳିଥିବା ଅନୁଦାନରୁ ଏହି କାମ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଇଥିଲା। ତେବେ ଲାଇଟ୍ ସଂଯୋଗ ଓ ସାମଗ୍ରୀ କ୍ରୟ ବାବଦରେ ଦର୍ଶାଯାଇଥିବା ଖର୍ଚ୍ଚ ଏବଂ ବାସ୍ତବ ଖର୍ଚ୍ଚ ମଧ୍ୟରେ ବିପୁଳ ଫରକ ଥିବା ସନ୍ଦେହରୁ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରେ ଏଲ୍‌ଇଡି ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ ନାଁରେ ସରକାରୀ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ଏହାପରେ ଭିଜିଲାନ୍ସ ମାମଲା ରୁଜୁ କରି ଗଭୀର ତଦନ୍ତ ଆରମ୍ଭ କରିଥିଲା ଏବଂ ଶେଷରେ ୩ ଜଣ ଠିକାଦାରଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)