ବରଗଡ଼ରେ ଭୟଙ୍କର ଦୁର୍ଘଟଣା: ଘର ଭିତରେ ପଶିଗଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ପରିବାର

ଅକ୍ଷର ବ୍ୟୁରୋ: ବରଗଡ଼ ଜିଲ୍ଲାର ପଦ୍ମପୁର–ପାଟଣାଗଡ଼ ରାସ୍ତାର ରଜାପଡ଼ା ଅଞ୍ଚଳରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ଟ୍ରକ୍ ରାସ୍ତା କଡ଼ରେ ଥିବା ଘର ଭିତରକୁ ପଶିଯିବାରୁ ପରିବାର ଲୋକେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି। ଏହି ଘଟଣାରେ ରଜାପଡ଼ା ନିକଟରେ ଥିବା ସବିତା ତାଣ୍ଡିଙ୍କ ଘର ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଟ୍ରକ୍‌ଟି ହଠାତ୍ ନିୟନ୍ତ୍ରଣ ହରାଇ ଘରକୁ ଧକ୍କା ଦେଇ ପଶିଯାଇଥିବାରୁ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଦୁର୍ଘଟଣାରେ ସବିତା ତାଣ୍ଡି ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କ ଦୁଇ ପୁଅ ମୃତ୍ୟୁରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଘର ଭିତରେ ଥିବା ଆସବାବପତ୍ର ସମ୍ପୂର୍ଣ୍ଣ ଭାଙ୍ଗିଯାଇ ନଷ୍ଟ ହୋଇଛି। ଟ୍ରକ୍ ଧକ୍କାରେ ଘରଟି ପୂରାପୂରି ଭାଙ୍ଗିଯାଇଥିବା ବେଳେ କିଛି ସମୟ ପାଇଁ ରାସ୍ତାରେ ଯାତାୟାତ ବନ୍ଦ ହୋଇଥିଲା। ଘଟଣା ପରେ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ଖବର ପାଇ ପଦ୍ମପୁର ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ପରିସ୍ଥିତି ନିୟନ୍ତ୍ରଣ କରିଛନ୍ତି। ଟ୍ରକ୍ ଚାଳକଙ୍କ ଅବହେଳା ନା ଯାନ୍ତ୍ରିକ ତ୍ରୁଟି, ତାହା ନେଇ ତଦନ୍ତ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)