ବିଶ୍ୱକପ୍‌ରେ ଭାରତର ବିଫଳତା, ବର୍ଷିଲେ ଶ୍ରୀଜେଶ!

ଅକ୍ଷର ବ୍ୟୁରୋ: ହକି ବିଶ୍ୱକପ୍‌ରେ ଭାରତର ନିରାଶାଜନକ ପ୍ରଦର୍ଶନକୁ ନେଇ ମୁହଁ ଖୋଲିଛନ୍ତି ଭାରତୀୟ ହକି ଦଳର ପୂର୍ବତନ ଗୋଲକିପର୍‌ ତଥା ଦୁଇଥରର ଅଲିମ୍ପିକ୍‌ କାଂସ୍ୟ ପଦକ ବିଜେତା ପିଆର୍‌ ଶ୍ରୀଜେଶ। ପୁରୁଷ ଓ ମହିଳା—ଦୁଇ ଦଳ ହିଁ ସେମିଫାଇନାଲ୍‌ରେ ପହଞ୍ଚିବାରେ ବିଫଳ ହେବା ପରେ ହକି ପରିଚାଳନା ଓ ଦଳର ପ୍ରସ୍ତୁତିକୁ ନେଇ ସେ ଗୁରୁତର ପ୍ରଶ୍ନ ଉଠାଇଛନ୍ତି।

ପୁରୁଷ ଦଳର ବିଶ୍ୱକପ୍‌ ଅଭିଯାନ ଆର୍ଜେଣ୍ଟିନା ବିପକ୍ଷରେ ୩-୫ ଗୋଲ୍‌ର ପରାଜୟ ସହ ଶେଷ ହୋଇଥିଲା। ଏହା ପୂର୍ବରୁ ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ଭାରତ ୧-୩ ଗୋଲ୍‌ରେ ପରାସ୍ତ ହୋଇଥିଲା। ସେହିପରି ମହିଳା ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଲ୍‌ଶୂନ୍ୟ ଡ୍ର’ କରି ସେମିଫାଇନାଲ୍‌ ଦୌଡ଼ରୁ ବାଦ୍‌ ପଡ଼ିଥିଲା। ଏହି ପ୍ରଦର୍ଶନ ପରେ ସୋସିଆଲ୍‌ ମିଡିଆରେ ଏକ ଲମ୍ବା ପୋଷ୍ଟ କରି ଶ୍ରୀଜେଶ କହିଛନ୍ତି, ବିଶ୍ୱକପ୍‌ ଭଳି ବଡ଼ ମଞ୍ଚରେ ବିଫଳତାକୁ କେବଳ ‘ଶିଖିବାର ଅଭିଜ୍ଞତା’ କହି ସମସ୍ୟାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଭାରତ କେମିତି ଦଳ ଗଢ଼ୁଛି—କେବଳ ଭଲ ହକି ଖେଳିବା ପାଇଁ ନା ବିଶ୍ୱର ଶ୍ରେଷ୍ଠ ଦଳଗୁଡ଼ିକୁ ହରାଇବା ପାଇଁ—ସେ ଏହି ପ୍ରଶ୍ନ ଉଠାଇଛନ୍ତି।

ଦଳର ପ୍ରଦର୍ଶନ ପାଇଁ କିଏ ଜବାବଦେହ ଏବଂ କିଏ କଠିନ ପ୍ରଶ୍ନ ପଚାରିବ—ଶ୍ରୀଜେଶ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି। ତାଙ୍କ ମତରେ, ବିଶ୍ୱକପ୍‌ରେ ଆଶାନୁରୂପ ପ୍ରଦର୍ଶନ ନ ହେବା ପରେ କେବଳ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଆଲୋଚନା ନକରି ପ୍ରସ୍ତୁତି, ଯୋଜନା ଓ ପରିଚାଳନାର ମଧ୍ୟ ସମୀକ୍ଷା ହେବା ଆବଶ୍ୟକ। ମହିଳା ଦଳର ପ୍ରସ୍ତୁତିକୁ ନେଇ ମଧ୍ୟ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଶ୍ୱକପ୍‌ ପୂର୍ବରୁ ମୁଖ୍ୟ କୋଚ୍‌ଙ୍କ ଅନୁପସ୍ଥିତିକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ତେବେ ମାଟିରେ ନିଜ ସାମର୍ଥ୍ୟ ଅନୁଯାୟୀ ଲଢ଼େଇ କରିଥିବା ଖେଳାଳିମାନଙ୍କୁ ସେ ଶ୍ରେୟ ଦେଇଛନ୍ତି। ବିଶ୍ୱକପ୍‌ରୁ ଭାରତର ନିରାଶାଜନକ ବିଦାୟ ପରେ ଶ୍ରୀଜେଶଙ୍କ ଏହି ଖୋଲାଖୋଲି ସମାଲୋଚନା ଭାରତୀୟ ହକିର ପ୍ରସ୍ତୁତି, ପରିଚାଳନା, ଜବାବଦେହିତା ଓ ଭବିଷ୍ୟତ ଯୋଜନାକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial