ଏମ୍‌କେସିଜି ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ଆକ୍ସନ୍ ମୋଡ୍‌ରେ ସରକାର: ତଦନ୍ତ ପାଇଁ ପହଞ୍ଚିଲା ୩ ଜଣିଆ ହାଇଲେଭେଲ୍ ଟିମ୍

ଅକ୍ଷର ବ୍ୟୁରୋ: ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜରେ ପିଜି (ପୋଷ୍ଟ ଗ୍ରାଜୁଏଟ୍) ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ନେଇ ରାଜ୍ୟ ସରକାର ଆକ୍ସନ୍ ମୋଡ୍‌କୁ ଆସିଛନ୍ତି। ଘଟଣାର ସତ୍ୟାସତ୍ୟ ଯାଞ୍ଚ ଏବଂ ଦାୟୀ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଉଚ୍ଚସ୍ତରୀୟ ତଦନ୍ତକାରୀ ଟିମ୍ ଆଜି ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛି।

ଏହି ଟିମ୍‌ରେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡା. ବିଜୟ କୁମାର ମିଶ୍ର, ଅତିରିକ୍ତ ସଚିବ ବିଜୟ କୁମାର ଦାସ ଏବଂ ଯୁଗ୍ମ ଡିଏମ୍‌ଇଟି (DMET) ଅନୀଲ କୁମାର ସାହୁ ସାମିଲ ଅଛନ୍ତି। ପିଜି ପରୀକ୍ଷା ଭଳି ଏକ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛି। ତଦନ୍ତକାରୀ ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚି ପରୀକ୍ଷା ପରିଚାଳନା ସହ ଜଡ଼ିତ ବିଭିନ୍ନ ଦସ୍ତାବେଜ ଯାଞ୍ଚ କରିବା ସହ କଲେଜର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରୁଛି। କେଉଁ ପରିସ୍ଥିତିରେ, କେଉଁ ସ୍ତରରେ ଏବଂ କେଉଁ ପ୍ରକ୍ରିୟାରେ ପ୍ରଶ୍ନପତ୍ର ଲିକ୍ ହୋଇଥିଲା, ସେନେଇ ସମସ୍ତ ତଥ୍ୟ ସଂଗ୍ରହ କରାଯାଉଛି।

ତଦନ୍ତ ଶେଷ ହେବା ପରେ ଉଚ୍ଚସ୍ତରୀୟ ଟିମ୍ ସରକାରଙ୍କୁ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବ। ଏହି ରିପୋର୍ଟକୁ ଆଧାର କରି ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କଠୋର ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି। ମେଡିକାଲ ଶିକ୍ଷା ବ୍ୟବସ୍ଥାରେ ପରୀକ୍ଷାର ସ୍ୱଚ୍ଛତା ଓ ବିଶ୍ୱସନୀୟତାକୁ ନେଇ ଏହି ଘଟଣା ଗୁରୁତର ପ୍ରଶ୍ନ ସୃଷ୍ଟି କରିଥିବା ବେଳେ ସାରା ରାଜ୍ୟରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏବେ ସମସ୍ତଙ୍କ ନଜର ତଦନ୍ତ ରିପୋର୍ଟ ଓ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial