ଅକ୍ଷର ବ୍ୟୁରୋ: ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପଢ଼ୁଥିବା ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ପ୍ରଣାଳୀରେ ବଡ଼ ପରିବର୍ତ୍ତନ ଆଣିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏଣିକି ଗୋଟିଏ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀଙ୍କୁ ମୋଟ ୪ଟି ପରୀକ୍ଷା ଦେବାକୁ ପଡ଼ିବ। ଏନେଇ ବିଭାଗ ପକ୍ଷରୁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯିବା ସହ ସମସ୍ତ ବିଦ୍ୟାଳୟକୁ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ନୂତନ ବ୍ୟବସ୍ଥା ଅନୁଯାୟୀ, ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଗୋଟିଏ ଫର୍ମେଟିଭ୍ ଆସେସ୍ମେଣ୍ଟ (FA) ଓ ଗୋଟିଏ ସମେଟିଭ୍ ଆସେସ୍ମେଣ୍ଟ (SA) ଅନୁଷ୍ଠିତ ହେବ। ସେହିପରି ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ ପୁଣି ଗୋଟିଏ ଫର୍ମେଟିଭ୍ ଆସେସ୍ମେଣ୍ଟ ଓ ଗୋଟିଏ ସମେଟିଭ୍ ଆସେସ୍ମେଣ୍ଟ ହେବ। ଅର୍ଥାତ୍, ବର୍ଷକୁ ମୋଟ ଦୁଇଟି ଫର୍ମେଟିଭ୍ ଓ ଦୁଇଟି ସମେଟିଭ୍ ଆସେସ୍ମେଣ୍ଟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଦକ୍ଷତାର ମୂଲ୍ୟାୟନ କରାଯିବ।
ବିଭାଗର ନୂଆ ମାର୍ଗଦର୍ଶିକା ଅନୁସାରେ, ଗୋଟିଏ ଶିକ୍ଷାବର୍ଷରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ମୋଟ ୧୨୦୦ ମାର୍କରେ ମୂଲ୍ୟାୟନ କରାଯିବ। କେବଳ ବାର୍ଷିକ ପରୀକ୍ଷା ନୁହେଁ, ବରଂ ଶିକ୍ଷାବର୍ଷ ସାରା ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଅଗ୍ରଗତି, ଶିକ୍ଷଣ ଦକ୍ଷତା ଓ ସାମଗ୍ରିକ ପ୍ରଦର୍ଶନକୁ ଗୁରୁତ୍ୱ ଦେଇ ଏହି ନୂଆ ମୂଲ୍ୟାୟନ ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମସ୍ତ ବିଦ୍ୟାଳୟକୁ ଏହି ନୂତନ ମୂଲ୍ୟାୟନ ପ୍ରଣାଳୀକୁ ତୁରନ୍ତ ଲାଗୁ କରିବା ସହ ନିର୍ଦ୍ଦେଶାବଳୀ ଅନୁଯାୟୀ ପରୀକ୍ଷା ଓ ମୂଲ୍ୟାୟନ ପ୍ରକ୍ରିୟା ପରିଚାଳନା କରିବାକୁ କହିଛି। ନୂଆ ବ୍ୟବସ୍ଥା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ନିରନ୍ତର ଶିକ୍ଷଣ ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବା ସହ ସେମାନଙ୍କ ସାମଗ୍ରିକ ଶିକ୍ଷାଗତ ବିକାଶକୁ ପ୍ରାଥମିକତା ଦିଆଯିବ।
















Leave a Reply