ଅକ୍ଷର ବ୍ୟୁରୋ: ହରିୟାଣାର ଗୁରୁଗ୍ରାମରେ ମଧ୍ୟରାତ୍ରିରେ ଘଟିଛି ହାଇଭୋଲ୍ଟେଜ୍ ଏନକାଉଣ୍ଟର। ଗୁରୁଗ୍ରାମ ପୋଲିସ କ୍ରାଇମବ୍ରାଞ୍ଚ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଭୟଙ୍କର ଗୁଳିବିନିମୟରେ ବିଦେଶରେ ରହି ଅପରାଧିକ ନେଟୱର୍କ ଚଳାଉଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଦୀପକ ନାନ୍ଦଲ ଗ୍ୟାଙ୍ଗର ୪ ଜଣ ଦୁର୍ଦ୍ଦାନ୍ତ ସୁଟର ନିହତ ହୋଇଛନ୍ତି। ଏହି ଅପରେସନରେ ଜଣେ ଅପରାଧୀ ଗୁରୁତର ଆହତ ହୋଇଥିବା ବେଳେ ୩ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଗୁରୁଗ୍ରାମର ସୁଶାନ୍ତ ଲୋକ ଫେଜ୍-୨ ଅଞ୍ଚଳରେ ବସବାସ କରୁଥିବା ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ତଥା ଏସଜିଟି ୟୁନିଭରସିଟି ପ୍ରତିଷ୍ଠାତାଙ୍କ ପୁଅ ଏବଂ ପ୍ରପର୍ଟି ଡିଲରଙ୍କୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଥିଲା। ଅଭିଯୁକ୍ତମାନେ ପୂର୍ବରୁ ବ୍ୟବସାୟୀଙ୍କଠାରୁ ୧ କୋଟି ଟଙ୍କାର ବଟି ଦାବି କରିଥିଲେ। ବିଳମ୍ବିତ ରାତିରେ ସେମାନେ ଏକ ମହିନ୍ଦ୍ରା ସ୍କର୍ପିଓ ଗାଡ଼ିରେ ଆସି ବ୍ୟବସାୟୀଙ୍କ ଘର ଉପରକୁ ଆଖିବୁଜା ଗୁଳିବର୍ଷା କରିଥିଲେ। ପୋଲିସ ପହଞ୍ଚିବା ପୂର୍ବରୁ ସେମାନେ ବ୍ୟବସାୟୀଙ୍କୁ କିଛି ସମୟ ପାଇଁ ବନ୍ଧକ ମଧ୍ୟ ରଖିଥିବା ସୂଚନା ମିଳିଛି।
ଘଟଣା ସମ୍ପର୍କରେ କଣ୍ଟ୍ରୋଲ ରୁମ୍କୁ ସୂଚନା ମିଳିବା ପରେ ଗୁରୁଗ୍ରାମ ପୋଲିସ କ୍ରାଇମବ୍ରାଞ୍ଚର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସକୁ ଦେଖି ଅପରାଧୀମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ଗୁଳିବର୍ଷା କରିଥିଲେ। ଆତ୍ମରକ୍ଷା ପାଇଁ ପୋଲିସ ପାଲଟା ଫାୟାରିଂ କରିଥିବା ବେଳେ ୪ ଜଣ ସୁଟର ଘଟଣାସ୍ଥଳରେ ନିହତ ହୋଇଥିଲେ। ଜଣେ ଅଭିଯୁକ୍ତ ଗୁରୁତର ଆହତ ହୋଇଥିବା ବେଳେ ଗୁଳିବିନିମୟରେ ୩ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।
ପୋଲିସ କହିଛି, ମ୍ୟୁଜିକ୍ ପ୍ରଡ୍ୟୁସରରୁ ଗ୍ୟାଙ୍ଗଷ୍ଟର ପାଲଟିଥିବା ଦୀପକ ନାନ୍ଦଲ ବର୍ତ୍ତମାନ ବିଦେଶରେ ରହି ନିଜର ଅପରାଧିକ ସାମ୍ରାଜ୍ୟ ଚଳାଉଛି। ଗୁରୁଗ୍ରାମ ଓ ଆଖପାଖ ଅଞ୍ଚଳରେ ବିଲ୍ଡର, ବ୍ୟବସାୟୀ ଓ ଗାୟକଙ୍କୁ ଧମକ ଦେଇ ବଟି ଆଦାୟ କରିବା ଏବଂ ଗୁଳିକାଣ୍ଡ ଘଟାଇବା ଏହି ଗ୍ୟାଙ୍ଗର ମୁଖ୍ୟ କାର୍ଯ୍ୟ ଥିଲା। ଘଟଣାସ୍ଥଳରୁ ପୋଲିସ ବେଆଇନ ମାରଣାସ୍ତ୍ର, ଗୁଳିଗୋଳା ଓ ବ୍ୟବହୃତ ମହିନ୍ଦ୍ରା ସ୍କର୍ପିଓ ଗାଡ଼ିକୁ ଜବତ କରିଛି। ଏହି ଘଟଣା ପରେ ହରିୟାଣା ପୋଲିସ ଦୀପକ ନାନ୍ଦଲ ଗ୍ୟାଙ୍ଗର ସମ୍ପୂର୍ଣ୍ଣ ନେଟୱର୍କକୁ ଧ୍ୱଂସ କରିବା ପାଇଁ ତଦନ୍ତକୁ ଆହୁରି ଜୋରଦାର କରିଛି।












Leave a Reply