ମୌସୁମୀର ଜୋରଦାର ପ୍ରହାର: ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୨ ଦିନ ପ୍ରବଳ ବର୍ଷା ସମ୍ଭାବନା

ଅକ୍ଷର ବ୍ୟୁରୋ: ଦୀର୍ଘ ଅପେକ୍ଷା ପରେ ରାଜ୍ୟରେ ମୌସୁମୀ ପୁଣିଥରେ ସକ୍ରିୟ ହୋଇଛି। ଆଗାମୀ ଦୁଇ ଦିନ ଧରି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ, ପାଣିପାଗ ବିଭାଗ ପକ୍ଷରୁ ଏକାଧିକ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବିଶେଷକରି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଭାରିରୁ ଅତି ଭାରି ବର୍ଷା ହେବା ନେଇ ସତର୍କ କରାଯାଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ ଅରେଞ୍ଜ ସତର୍କତା ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହ ବଜ୍ରପାତ ଏବଂ ସ୍ଥାନୀୟ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏପଟେ ଚଳିତ ଜୁନ ମାସରେ ରାଜ୍ୟରେ ନିଅଣ୍ଟିଆ ବର୍ଷା କୃଷି ଓ ଜଳସମ୍ପଦ କ୍ଷେତ୍ରରେ ଚିନ୍ତା ବଢ଼ାଇଛି। ସାଧାରଣତଃ ଜୁନ ମାସରେ ଓଡ଼ିଶାରେ ୧୫୪.୬ ମିଲିମିଟର ବର୍ଷା ହେବା କଥା ଥିବାବେଳେ, ଏଥର ମାତ୍ର ୮୧.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ଏହାର ଅର୍ଥ ହେଉଛି, ରାଜ୍ୟରେ ୪୭ ପ୍ରତିଶତ ବର୍ଷା ଘାଟତି ରହିଛି, ଯାହାକୁ ପାଣିପାଗ ବିଶେଷଜ୍ଞମାନେ ଗମ୍ଭୀର ସ୍ଥିତି ବୋଲି ବର୍ଣ୍ଣନା କରିଛନ୍ତି। ବିଳମ୍ବିତ ଓ କମ୍ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ପ୍ରଭାବିତ ହେବା ସହ ବିଭିନ୍ନ ଜଳାଶୟର ଜଳସ୍ତର ମଧ୍ୟ କମିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ଦୁଇ ଦିନର ପ୍ରବଳ ବର୍ଷା ରାଜ୍ୟର ବର୍ଷା ଘାଟତି କିଛି ପରିମାଣରେ ପୂରଣ କରିପାରେ। ବିଶେଷକରି ଚାଷୀମାନଙ୍କ ପାଇଁ ଏହି ବର୍ଷା ଆଶ୍ୱସ୍ତି ଆଣିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)