ଅକ୍ଷର ବ୍ୟୁରୋ: ଅନୁଗୁଳ ଜିଲ୍ଲାର ବନ୍ତଳା ଥାନା ପରିସରରେ ଗତକାଲି ରାତିରେ ଏକ ବିରାଟ ଅଜଗର ସାପ ଉଦ୍ଧାର ହେବା ପରେ କିଛି ସମୟ ପାଇଁ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ବିଭିନ୍ନ ମାମଲାରେ ଜବତ କରାଯାଇଥିବା ସାମଗ୍ରୀ ମଧ୍ୟରେ ଲୁଚି ରହିଥିବା ଏହି ଅଜଗରକୁ ଦେଖି ଥାନା କର୍ମଚାରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।
ସୂଚନା ଅନୁଯାୟୀ, ରାତି ସମୟରେ ଥାନା ପରିସରରେ ରଖାଯାଇଥିବା ଜବତ ସାମଗ୍ରୀ ନିକଟରେ ଏକ ବଡ଼ ଅଜଗର ଲୁଚି ରହିଥିବା ଦେଖାଯାଇଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ ବନ୍ତଳା ଥାନା ଆଇଆଇସି ତୁରନ୍ତ ସର୍ପ ଉଦ୍ଧାରକାରୀ ସୁଶାନ୍ତ ସାହୁଙ୍କୁ ଖବର ଦେଇଥିଲେ। ଖବର ପାଇ ସର୍ପ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ବନ ବିଭାଗ ଓ ପୁଲିସ କର୍ମଚାରୀଙ୍କ ଉପସ୍ଥିତିରେ ସତର୍କତାର ସହ ଅଜଗରକୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ବେଳେ ଥାନା ପରିସରରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଥିଲା। ଉଦ୍ଧାର ହୋଇଥିବା ଅଜଗରଟି ପ୍ରାୟ ୮ ଫୁଟ ଲମ୍ବ ହୋଇଥିବା ଜଣାପଡ଼ିଛି। ଉଦ୍ଧାର ପରେ ସାପଟିକୁ ସୁରକ୍ଷିତ ଭାବେ ନିକଟସ୍ଥ ଜଙ୍ଗଲ ଅଞ୍ଚଳକୁ ନେଇ ଛାଡ଼ି ଦିଆଯାଇଥିଲା। ଥାନା ଆଇଆଇସିଙ୍କ ତୁରନ୍ତ ପଦକ୍ଷେପ ଏବଂ ସର୍ପ ଉଦ୍ଧାରକାରୀ, ବନ ବିଭାଗ ଓ ପୁଲିସର ମିଳିତ ପ୍ରୟାସ ଯୋଗୁଁ ଅଜଗରଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିଛି। ଏହାଦ୍ୱାରା ଥାନା ପରିସରରେ ଥିବା କର୍ମଚାରୀ ଓ ସାଧାରଣ ଲୋକଙ୍କ ପାଇଁ ସମ୍ଭାବ୍ୟ ବିପଦ ଟଳିଯାଇଛି।















Leave a Reply