ଅକ୍ଷର ବ୍ୟୁରୋ: ଆଜି ପଙ୍କୋଦ୍ଧାର ଏକାଦଶୀ । ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ ନୀତି ଅନୁଷ୍ଠିତ ହୋଇଛି । ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ରାତ୍ର ୧୨ଟାରୁ ଦ୍ୱାର ଫିଟାଯାଇ ଭୋର ୪ଟାରୁ ପଙ୍କୋଦ୍ଧାର କରାଯାଇଛି । ଆଜିଠାରୁ ମହାଶିବରାତ୍ରି ଯାଏଁ ୩ ଦିନ ଧରି ଜଳିବ ଜଗତମଙ୍ଗଳ ଦୀପ । ୧୫ ତାରିଖରେ ମହାଶିବରାତ୍ରି । ଭକ୍ତଙ୍କ ଭିଡରେ କମ୍ପିବ ପ୍ରଭୁ ଶ୍ରୀଲୋକନାଥଙ୍କ ପୀଠ । ରବିବାର ଶ୍ରୀଲୋକନାଥଙ୍କ ମହାଶିବରାତ୍ରି ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା । ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ଜାଗର ଯାତ୍ରାରେ ଅଧିକ ଜନସମାଗମ ହେବାର ସମ୍ଭାବନା ରହିଛି । ଜାଗର ଯାତ୍ରାକୁ ଶାନ୍ତି, ଶୃଙ୍ଖଳାର ସହ ସମାପନ ହେବ ସେନେଇ ପ୍ରତ୍ୟେକ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଥାଉକି, ପଙ୍କ ଉଦ୍ଧାର ପାଇଁ ଆସନ୍ତା ୧୩ ତାରିଖ ରାତ୍ର ୧୨.୩୦ ଘଟିକା ସମୟରେ ପହୁଡ଼ ଦ୍ୱାର ଖୋଲାଯାଇଛି । ରାତ୍ର ୧.୧୫ ମିନିଟରୁ ମଙ୍ଗଳ ଆଳତି, ଅବକାଶ ଇତ୍ୟାଦି ନୀତି ସମାପନ କରାଯାଇଛି । ରାତ୍ର ୧.୪୫ ମିନିଟରୁ ୩ ଘଟିକା ମଧ୍ୟରେ ସକାଳ ଧୂପ, ରାତ୍ର ୩ ଘଟିକାରୁ ରାତ୍ର ୪ ଘଟିକା ମଧ୍ୟରେ ମଧ୍ୟାହ୍ନ ଧୂପ, ରାତ୍ର ୪ ଘଟିକାରୁ ସକାଳ ୮ ଘଟିକା ପର୍ଯ୍ୟନ୍ତ ପଙ୍କଉଦ୍ଧାର କାର୍ଯ୍ୟକ୍ରମ ଓ ମାଘ ସ୍ନାନ କରାଯାଇଛି । ଦିବା ୧୨ ଘଟିକାରୁ ରାତ୍ର ୧୦ ଘଟିକା ସର୍ବସାଧାରଣ ଦର୍ଶନ ଓ ରାତ୍ର ୧୦ ଘଟିକାରୁ ରାତ୍ର ୧୧ଟା ମଧ୍ୟରେ ଧୂପ ଓ ଅନ୍ୟାନ୍ୟ ନୀତି ଏବଂ ବଡସିଂହାର ବେଶ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ସେହିପରି ୧୫ ତାରିଖ ଜାଗରରେ ରାତ୍ର ୧୨.୩୦ ରୁ ପହୁଡ଼ ଓ ଦ୍ବାରଖୋଲା, ରାତ୍ର ୧ ଘଟିକାରୁ ୪ଟା ମଧ୍ୟରେ ମଙ୍ଗଳ ଆଳତି, ଅବକାଶ, ସୂର୍ଯ୍ୟ ପୂଜା, ଭୋର ୪ ଟାରୁ ରାତ୍ର ୧୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ, ରାତ୍ର ୧୦ଟାରୁ ରାତ୍ର ୨ ଘଟିକା ପର୍ଯ୍ୟନ୍ତ ବିଭିନ୍ନ ନୀତି, ରାତ୍ର ୨ ଘଟିକାରୁ ରାତ୍ର ୩ ଘଟିକା ପର୍ଯ୍ୟନ୍ତ ହରିହର ପୂଜା, ଭୋଗ ସମ୍ପନ୍ନ, ବଡ ସିଂହାର ବେଶ ଓ ମହଦୀପ ପ୍ରଜ୍ବଳନର ନୀତିନିର୍ଘଣ୍ଟ ହୋଇଛି ।












Leave a Reply