ଅକ୍ଷର ବ୍ୟୁରୋ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ‘ବନକଲାଗି’ ବା ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ । ୪ ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ନେଇ ସୂଚନା । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ମହାପ୍ରଭୁଙ୍କ ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ କିଛି ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ । ବନକଲାଗି ହେଉଛି ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖ ଶୃଙ୍ଗାର ସେବା । ଦତ୍ତମହାପାତ୍ର ସେବକମାନେ ପାରମ୍ପରିକ ପ୍ରାକୃତିକ ରଙ୍ଗ ଯଥା – ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ବ୍ୟବହାର କରି ମହାପ୍ରଭୁଙ୍କ ଶ୍ରୀମୁଖକୁ ଉଜ୍ଜ୍ୱଳ କରିଥାନ୍ତି । ଏହାଦ୍ୱାରା ମହାପ୍ରଭୁଙ୍କ ଶ୍ରୀମୁଖ ପୁଣି ଥରେ ନୂତନ ରୂପ ପାଏ ।
ସୂଚନା ଅନୁଯାୟୀ, ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା ପରେ ବନକଲାଗି ନୀତି ଆରମ୍ଭ ହେବ । ଏହି ସମୟରେ ପ୍ରାୟ ୩ ରୁ ୪ ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯିବ । ବନକଲାଗି ନୀତି ସମ୍ପୂର୍ଣ୍ଣ ହେବା ପରେ ଏବଂ ଶ୍ରୀଜୀଉଙ୍କ ମହାସ୍ନାନ ପରେ ପୁଣି ଥରେ ଶ୍ରଦ୍ଧାଳୁମାନେ ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇପାରିବେ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ.୬.୦୦ ଟିକା ଠାରୁ ରାତ୍ର ଘ.୧୦.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରାଯାଇଛି ଯେ, ବନକଲାଗି ସମୟସୀମା ମଧ୍ୟରେ ସେମାନେ ମନ୍ଦିର ପରିସରରେ ରହିପାରିବେ ନାହିଁ । ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ ବନକଲାଗି ସମୟ ଜାଣି ସେହି ଅନୁସାରେ ଦର୍ଶନ ପାଇଁ ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି ।












Leave a Reply