ରାଜଧାନକୁ ସ୍ୱଚ୍ଛ ରଖିବା ପାଇଁ ହାତ ମିଳାଇଲେ ବିଏମ୍‌ସି-କୋକାକୋଲା

ପିଇଟି ବୋତଲ ସଂଗ୍ରହ କରିବ ସ୍ୱତନ୍ତ୍ର ଗାଡ଼ି

ଅକ୍ଷର ବ୍ୟୁରୋ ୧୩/୦୬ : ରାଜଧାନ ଭୁବନେଶ୍ଵରକୁ ସ୍ୱଚ୍ଛ, ସରସ ସୁନ୍ଦର ରଖିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି ) ପକ୍ଷରୁ ଆରମ୍ଭ ହୋଇଛି ଅଭିନବ ପ୍ରୟାସ । ଆରମ୍ଭ ହୋଇଛି  ପେଟ୍ (ପିଇଟି) ବୋତଲ ସଂଗ୍ରହ ଅଭିଯାନ । ବିଏମ୍‌ସି ଏବଂ ହିନ୍ଦୁସ୍ଥାନ କୋକା-କୋଲା ମଧ୍ୟରେ ଏ ନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

ଶୁକ୍ରବାର ଜାଗମରାସ୍ଥିତ ଫୁଡ୍ କୋର୍ଟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, ବିଏମ୍ ସି କମିଶନର ଚଞ୍ଚଳ ରାଣା, ସ୍ୱାସ୍ଥ୍ୟ ଓ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର, ସାଂସ୍କୃତିକ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ତଥା ସ୍ଥାନୀୟ କର୍ପୋରେଟର ରାମଚନ୍ଦ୍ର ରଣସିଂହ, ଅତିରିକ୍ତ କମିଶନର କୈଳାସ ଚନ୍ଦ୍ର ଦାସ, ହିନ୍ଦୁସ୍ଥାନ କୋକା କୋଲା ରାଷ୍ଟ୍ରୀୟ ମୁଖ୍ୟ ତୁଷାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ହିନ୍ଦୁସ୍ଥାନ କୋକା-କୋଲା ସହିତ ବିଏମ୍‌ସି  ମିଳିତ ଭାବରେ ସହରରୁ ପିଇଟି ବୋତଲ ସଂଗ୍ରହ କରିବ । ଏନେଇ ଏକ ସ୍ୱତନ୍ତ୍ର ଯାନର ଶୁଭାରମ୍ଭ କରାଯାଇଛି । ଏହି ଯାନ ନିର୍ଦ୍ଦିଷ୍ଟ କେତେକ ଅଂଚଳରୁ ବ୍ୟବହୃତ ବୋତଲ ସଂଗ୍ରହ କରିବ । ମେୟର କହିଛନ୍ତି ପରବର୍ତ୍ତୀ ପର୍ଯ୍ୟାୟରେ ଭୁବନେଶ୍ୱର ବିଭିନ୍ନ ଅଞ୍ଚଳ ସହ ଆଖପାଖ ଅଂଚଳରୁ ମଧ୍ୟ ପିଇଟି ବୋତଲ ସଂଗ୍ରହ କରାଯିବ । ପିଇଟି ବୋତଲ ଯୋଗୁଁ ପରିବେଶ ପ୍ରଦୂଷଣ ହେଉଛି । ତେଣୁ ଏହାକୁ ସଂଗ୍ରହ କରିବାକୁ ବିଭିନ୍ନ ଖାଓ ଗଳି, ଖାଦ୍ୟ ଓ ପାନୀୟ ଦୋକାନ, ଭେଣ୍ଡିଂ ଜୋନ୍, ମଲ୍ ଆଦିରେ ସ୍ୱତନ୍ତ୍ର ବ୍ୟାଗ ରଖାଯିବ ।

ବିଏମ୍ସି କମିଶନର ଶ୍ରୀ ରାଣା କହିଛନ୍ତି ସେହି ବ୍ୟାଗରେ ବ୍ୟବହୃତ ପ୍ଲାଷ୍ଟିକ ବୋତଲ ରଖିବା ପାଇଁ ବ୍ୟାପକ ଜନ ସଚେତନତା ସୃଷ୍ଟି କରାଯିବ । ଚୁକ୍ତି ଅନୁଯାୟୀ ବିଏମସି ଏହି ଉଦ୍ଦେଶ୍ୟରେ ଏକ ଇଭି ଏଲସିଭି ପ୍ରଦାନ କରିବ ଏବଂ କୋକା-କୋଲା ଦ୍ୱାରା ସଂଗ୍ରହ ଓ ପୁନଃଚକ୍ରଣ କାର୍ଯ୍ୟ ତଦାରଖ କରାଯିବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial