ରାଜ୍ୟର ଅଧିକାଂଶ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଖାଲି ପଡ଼ିଛି ଅଧ୍ୟାପକ ପଦ। ବିଧାନସଭାରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟର ବିଶ୍ୱବିଦ୍ୟାଳୟରେ ୧୪୦୪ ଅଧ୍ୟାପକ ପଦ ଖାଲିପଡ଼ିଛି। ତା’ଭିତରୁ ୨୬୦ ଅଧ୍ୟାପକ ପଦ ଖାଲି ପଡ଼ିଥିବା ବେଳେ, ୪୫୩ ଆସୋସିଏସ୍ ଅଧ୍ୟାପକ, ୬୬୯ ସହକାରୀ ଅଧ୍ୟାପକ ପଦ ଖାଲିପଡ଼ିଛି। ତେବେ ବିଶ୍ୱବିଦ୍ୟାଳୟ ଦୃଷ୍ଟିରୁ ଦେଖିଲେ ସବୁଠୁ ଅଧିକ ଅଧ୍ୟାପକ ମରୁଡି ଦେଖିବାକୁ ମିଳିଛି ରେଭେନ୍ସା ବିଶ୍ୱବିଦ୍ୟାଳୟରେ। ଏହାପଛକୁ ରହିଛି ଉତ୍କଳ ବିଶ୍ୱବିଦ୍ୟାଳୟ। ସେହିପରି ୧୭ ବିଶ୍ୱବିଦ୍ୟାଳୟରେ ୨୨୮୬ ଅଣଶିକ୍ଷକ ପଦ ଖାଲି ପଡ଼ିଥିବା ନେଇ ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ।
ଏନେଇ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଗୃହରେ ପ୍ରଶ୍ନ କରିଥିଲେ, ରାଜ୍ୟରେ କେଉଁ ବର୍ଗର କେତେ ସଂଖ୍ୟକ ମଞ୍ଜୁରିପ୍ରାପ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ରହିଛି ଏବଂ ଏଥିରେ କେତେ ପଦବୀ ଖାଲି ପଡ଼ିଛି ତାର ରିପୋର୍ଟ ଦେବାକୁ। ଆଉ ଏହି ପ୍ରଶ୍ନର ଉତ୍ତର ରଖିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ। ଯେଉଁଥିରୁ କି ଏହି ତଥ୍ୟ ସାମ୍ନାକୁ ଆସିଛି।
ମନ୍ତ୍ରୀଙ୍କ କହିବା ମୁତାବକ, ରାଜ୍ୟରେ ୮୨ଟି ସରକାରୀ ମହାବିଦ୍ୟାଳୟ ରହିଛି। ସେ ଭିତରୁ ୬୬ଟି ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ଏବଂ ୧୬ଟି ସରକାରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ। ତେବେ ସରକାରୀ ଡିଗ୍ରୀ ମହାବିଦ୍ୟାଳୟରେ ୪୯୧ଟି ଏବଂ ସରକାରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ୧୬୩ଟି ଅଧ୍ୟାପକ ପଦବୀ ଖାଲି ରହିଛି। ଏହାସହ ରାଜ୍ୟର ସମସ୍ତ ସରକାରୀ ମହାବିଦ୍ୟାଳୟରେ ମଞ୍ଜୁର ପ୍ରାପ୍ତ ୧୭୫୧ଟି ଅଣଶିକ୍ଷକ ପଦବୀ ଅଛି। ଯାହା ଭିତରୁ ୬୮୮ ଜଣ କାର୍ୟ୍ୟରତ ଅଛନ୍ତି ଏବଂ ୧୦୨୭ ଟି ପଦବୀ ଖାଲି ପଡ଼ିଛି।












Leave a Reply