ଏଣିକି ଆଉ ଶିକ୍ଷାରେ ବାଧକ ସାଜିବନି ଭାଷା; ଚଳିତ ବର୍ଷରୁ ସମ୍ପୂର୍ଣ୍ଣ ଓଡ଼ିଆରେ ଉପଲବ୍ଧ ହେବ +୨ ବିଜ୍ଞାନ ବହି ।

ଅକ୍ଷର ବ୍ୟୁରୋ: ଚଳିତ ଶିକ୍ଷାବର୍ଷରୁ ରାଜ୍ୟରେ +୨ ବା ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ପାଠ୍ୟପୁସ୍ତକ ଓଡ଼ିଆ ଭାଷାରେ ଉପଲବ୍ଧ ହେବ । ଏଣିକି ଆଉ ଶିକ୍ଷାରେ ବାଧକ ସାଜିବନି ଭାଷା । ଇନଷ୍ଟିଚ୍ୟୁଟ ଅଫ ଓଡ଼ିଆ ଷ୍ଟଡିଜ୍ ଆଣ୍ଡ ରିସର୍ଚ୍ଚ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି ।  ୨ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ନୂଆ ଆରମ୍ଭ । ପ୍ରଥମ ଥର ପାଇଁ ଚଳିତ ବର୍ଷରୁ +୨ ବିଜ୍ଞାନ ବହି ସମ୍ପୂର୍ଣ୍ଣ ଓଡ଼ିଆରେ ଉପଲବ୍ଧ ହେବ । ଏହାଦ୍ବାରା ପାଖାପାଖି ୨ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । ଓଡ଼ିଶା ସରକାରଙ୍କ ଦ୍ବାରା ମୁଦ୍ରିତ ଏହି ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ ଓ ଗଣିତ ବହି ସମସ୍ତ ସରକାରୀ ଓ ବେସରକାରୀ କଲେଜରେ ଉପଲବ୍ଧ ହେବ । ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀ ଏହାର ସିଧାସଳଖ ଲାଭ ନେବା ପାଇଁ ଅନୁରୋଧ କରାଯାଇଛି । ଏହା ପୂର୍ବରୁ ବିଜ୍ଞାନ ଛାତ୍ରଛାତ୍ରୀ କେବଳ ଇଂରାଜୀ ମାଧ୍ୟମରେ ପଢ଼ିବାକୁ ବାଧ୍ୟ ହେଉଥିଲେ । ସଂସ୍ଥାର ସମ୍ପାଦକ ଡକ୍ଟର ସୁବ୍ରତ କୁମାର ପୃଷ୍ଟି କହିଛନ୍ତି ଯେ, ମାତୃଭାଷାରେ ବିଜ୍ଞାନ ପଢ଼ିଲେ ପିଲାଙ୍କ ବିଷୟବସ୍ତୁ ବୁଝିବା ସହଜ ହେବ ଏବଂ ସେମାନେ JEE, NEET ଭଳି ଜାତୀୟ ସ୍ତରର ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରିବେ । ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପାଠ୍ୟକ୍ରମ ଅନୁଯାୟୀ ପ୍ରସ୍ତୁତ ହୋଇଛି ଏହି ବହି ।

ରାଜ୍ୟର ସାଢ଼େ ୬ ହଜାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଠାଗାରକୁ ଏହି ଓଡ଼ିଆ ବିଜ୍ଞାନ ବହି ଯୋଗାଇ ଦିଆଯାଉଛି । ଶିକ୍ଷକ ଓ ଅଧ୍ୟକ୍ଷମାନଙ୍କୁ ଏଥିପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି । ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ଏହାର ସମୀକ୍ଷା କରି ସମସ୍ତ ଅଧିକାରୀଙ୍କୁ ସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିବର୍ଷ ପ୍ରାୟ ସାଢ଼େ ୫ ଲକ୍ଷ ପିଲା ଓଡ଼ିଆ ମାଧ୍ୟମରେ ମାଟ୍ରିକ୍ ପାସ୍ କରୁଥିଲେ ମଧ୍ୟ ଇଂରାଜୀ ଭୟରେ ବିଜ୍ଞାନ ପଢୁନଥିଲେ, ଯାହାଫଳରେ +୨ ବିଜ୍ଞାନରେ ପ୍ରାୟ ୮୦ ହଜାର ସିଟ୍ ଖାଲି ପଡ଼ୁଥିଲା । ତେଣୁ ଓଡ଼ିଆ ମାଧ୍ୟମରେ ବିଜ୍ଞାନ ଶିକ୍ଷା ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ ନିଆଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)