ଲଗାଣ ବର୍ଷାରେ ଧସିଲା ୩୦ ଫୁଟ୍‌ର ରାସ୍ତା, ବିପଦରେ ଯାତାୟାତ; ୫ ପଞ୍ଚାୟତବାସୀଙ୍କ ପାଇଁ ବଢ଼ିଲା ଦୁର୍ଭୋଗ

ଅକ୍ଷର ବ୍ୟୁରୋ: ଲଗାଣ ବର୍ଷାର ପ୍ରଭାବରେ କଟକ ଜିଲ୍ଲାର ନିଆଳି ବ୍ଲକରେ ଏକ ପ୍ରମୁଖ ରାସ୍ତା ଧସିଯାଇ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ନିଆଳି ବ୍ଲକ ଅନ୍ତର୍ଗତ ସଳେଇରୁ ବିଳାଶୁଣୀକୁ ସଂଯୋଗ କରୁଥିବା ରାସ୍ତାର ଅଳଁ କାଠପୋଲ ନିକଟରେ ପ୍ରାୟ ୩୦ ଫୁଟ୍‌ର ଗାର୍ଡୱାଲ୍ ସହ ରାସ୍ତା ଧସିପଡ଼ିଛି। ଫଳରେ ଏହି ଗୁରୁତ୍ୱପୂର୍ଣ୍ଣ ସଡ଼କରେ ଯାତାୟାତ ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପଡ଼ିଛି।

ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଏହି ରାସ୍ତା ଉପରେ ପ୍ରାୟ ୫ଟି ପଞ୍ଚାୟତର ହଜାର ହଜାର ଲୋକ ନିର୍ଭର କରୁଛନ୍ତି। ପ୍ରତିଦିନ ଏହି ରାସ୍ତା ଦେଇ ବସ୍, ଟ୍ରକ୍, ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀର ଗାଡ଼ି ସମେତ ସ୍କୁଲ ଛାତ୍ରଛାତ୍ରୀଙ୍କ ଯାତାୟାତ ହୋଇଥାଏ। ରାସ୍ତା ଧସିଯିବା ପରେ ସାଧାରଣ ଲୋକଙ୍କ ଦୁର୍ଭୋଗ ବଢ଼ିଯାଇଛି। ଦୁର୍ଘଟଣାକୁ ଏଡ଼ାଇବା ପାଇଁ ପ୍ରଶାସନ ଓ ସ୍ଥାନୀୟ ଲୋକେ ମିଳିତ ଭାବେ ବିପଦସଙ୍କୁଳ ସ୍ଥାନରେ ବାଲିବସ୍ତା ରଖିବା ସହ ବାଉଁଶରେ ବାଡ଼ ଦେଇଛନ୍ତି। ଏହାଫଳରେ ରାସ୍ତାରେ ଏକ ସମୟରେ କେବଳ ଗୋଟିଏ ଗାଡ଼ି ଯାତାୟାତ କରିପାରୁଛି। ଦୁଇଟି ଗାଡ଼ି ସାମ୍ନାସାମ୍ନି ହେଲେ ଚଳାଚଳ କରିବା ବହୁତ କଷ୍ଟସାଧ୍ୟ ହୋଇପଡ଼ୁଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ରାସ୍ତା ତଳରୁ ବାଲି ଧୀରେ ଧୀରେ ଖସିବାରେ ଲାଗିଛି। ଯଦି ଆଗାମୀ ଦିନରେ ପୁଣି ପ୍ରବଳ ବର୍ଷା ହୁଏ, ତେବେ ସମ୍ପୂର୍ଣ୍ଣ ରାସ୍ତା ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ ଜରୁରୀକାଳୀନ ସେବା ମଧ୍ୟ ବାଧାପ୍ରାପ୍ତ ହେବା ସହ ହଜାର ହଜାର ଲୋକଙ୍କ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇପାରେ। ସ୍ଥାନୀୟ ବାସିନ୍ଦାମାନେ ରାସ୍ତାର ତୁରନ୍ତ ସ୍ଥାୟୀ ମରାମତି ଓ ସୁଦୃଢ଼ୀକରଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ଜିଲ୍ଲା ପ୍ରଶାସନଙ୍କ ହସ୍ତକ୍ଷେପ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)