ଅକ୍ଷର ବ୍ୟୁରୋ: ବଙ୍ଗୋପସାଗରରେ ଆଗାମୀ କିଛି ଦିନ ପାଗ ଅତ୍ୟନ୍ତ ଖରାପ ରହିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଭୋଗରାଇ ମତ୍ସ୍ୟ ବିଭାଗ ମତ୍ସ୍ୟଜୀବୀଙ୍କ ପାଇଁ ୪ ଦିନର ସମୁଦ୍ର କଟକଣା ଜାରି କରିଛି। ପ୍ରବଳ ବର୍ଷା, ଦମକା ପବନ ଓ ବିଜୁଳି ସହ ବଜ୍ରପାତର ଆଶଙ୍କା ଥିବାରୁ ଆସନ୍ତାକାଲିଠାରୁ ୪ ଦିନ ପର୍ଯ୍ୟନ୍ତ କୌଣସି ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି।
ଚନ୍ଦନେଶ୍ୱର ମତ୍ସ୍ୟ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଭୋଗରାଇର ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ସତର୍କ ସୂଚନା ପ୍ରଚାର କରାଯାଇଛି। ବିଶେଷକରି ଉଦୟପୁର, ତାଳସାରୀ, ବିଚିତ୍ରପୁର ଓ କୀର୍ତ୍ତନିଆ ସମୁଦ୍ର ମୁହାଣ ଅଞ୍ଚଳରେ ଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ କଡ଼ା ପରାମର୍ଶ ଦିଆଯାଇଛି।
ଭାରତୀୟ ପାଣିପାଗ ବିଭାଗ (IMD)ର ସୂଚନା ଆଧାରରେ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ମତ୍ସ୍ୟ ବିଭାଗ ଏହି ସତର୍କତା ଜାରି କରିଛି। ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗରରେ ପ୍ରବଳ ବର୍ଷା, ଦମକା ପବନ ଓ ଉଚ୍ଚ ଢେଉ ସହ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମାଛଧରା ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ କୁହାଯାଇଛି। ଏହା ସହ ଉପକୂଳବାସୀ ଓ ତଳିଆ ଅଞ୍ଚଳର ଲୋକଙ୍କୁ ମଧ୍ୟ ସଜାଗ ରହିବାକୁ ଅପିଲ କରାଯାଇଛି। ମତ୍ସ୍ୟଜୀବୀମାନଙ୍କୁ ନିଜ ନିଜର ଡଙ୍ଗା, ଟ୍ରଲର ଓ ମାଛଧରା ଜାଲକୁ ସୁରକ୍ଷିତ ସ୍ଥାନରେ ବାନ୍ଧି ରଖିବା ସହ ନିଜେ ମଧ୍ୟ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି।
ମତ୍ସ୍ୟ ବିଭାଗ ସ୍ପଷ୍ଟ କରିଛି ଯେ, ଧନ ଓ ଜୀବନର ସୁରକ୍ଷା ସର୍ବପ୍ରଥମ। ତେଣୁ ପାଣିପାଗ ସତର୍କବାଣୀକୁ ଗୁରୁତ୍ୱର ସହ ନେଇ କୌଣସି ପରିସ୍ଥିତିରେ ସମୁଦ୍ରକୁ ନଯିବା ଏବଂ ପ୍ରଶାସନର ସମସ୍ତ ନିର୍ଦ୍ଦେଶ ପାଳନ କରିବାକୁ ମତ୍ସ୍ୟଜୀବୀ ଓ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି।














Leave a Reply