ଅକ୍ଷର ବ୍ୟୁରୋ: ଖୋର୍ଦ୍ଧା ରେଳ ଡିଭିଜନ ନିରାକାରପୁର ରେଳ ଷ୍ଟେସନ ପରିସରରୁ ୪ମାସର ଶିଶୁପୁତ୍ର ଚୋରି ଅଭିଯୋଗ । ଶିଶୁର ବାପା-ମା’ ପ୍ଲାଟଫର୍ମରେ ବିଶ୍ରାମ ନେଉଥିବା ସମୟରେ ଶିଶୁପୁତ୍ରକୁ କେହି ଚୋରି କରିନେଇଛନ୍ତି । ଏନେଇ ନିରାକାରପୁର ରେଳବାଇ ପୁଲିସରେ ଅଭିଯୋଗ କରାଯାଇଛି । ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ରଣପୁର ଥାନା କଳାମାଟିଆ ଗ୍ରାମର ପ୍ରଶାନ୍ତ ପ୍ରଧାନଙ୍କ ସ୍ତ୍ରୀ ଚିନୁଲତା ପରିଡା ଓ ତାଙ୍କର ୪ମାସର ଶିଶୁପୁତ୍ର ଟ୍ରେନ ଯୋଗେ ତାମିଲନାଡୁ ଯିବାର ଥିଲା । ସେମାନେ ପ୍ରଥମେ କାଳୁପଡ଼ାଘାଟ ଷ୍ଟେସନରେ ପହଞ୍ଚିଥିଲେ । ପରେ ସେଠାରୁ ଡିଏମୟୁ ଟ୍ରେନ୍ ଯୋଗେ ନିରାକାରପୁର ଷ୍ଟେସନ ଆସିଥିଲେ ।
ତିନି ନମ୍ବର ପ୍ଲାଟଫର୍ମରେ ବିଶ୍ରାମ ନେଉଥିବାବେଳେ ଉଭୟ ପିତା ମାତାଙ୍କୁ ନିଦ ଆସି ଯାଇଥିଲା । ଏହାର ସୁଯୋଗ ନେଇ ମା’ କୋଳରୁ ଶିଶୁପୁତ୍ରକୁ କୌଣସି ଦୁର୍ବୁତ୍ତ ଉଠାଇ ନେଇଯାଇଛନ୍ତି । ଉଭୟ ମାତାପିତା ଅନେକ ଖୋଜାଖୋଜି କରିବା ପରେ ଶିଶୁପୁତ୍ରକୁ ନପାଇ ନିରାକାରପୁର ଆରପିଏଫ ପୁଲିସର ସହାୟତା ଲୋଡ଼ିଥିଲେ । ହେଲେ ଆରପିଏଫ ପୋଲିସ ସହଯୋଗ ନକରି ଓଲଟା ଗାଳିଗୁଲଜ କରି ପ୍ଲାଟଫର୍ମରୁ ବାହାରି ଯିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ସକାଳେ ଘଟଣା ପ୍ରଘଟ ପରେ ରେଳବାଇ ଜିଆରପି ପୋଲିସରେ ଉଭୟ ଦମ୍ପତିଙ୍କ ଲିଖିତ ଅଭିଯୋଗ ଆଧାରରେ ତଦନ୍ତ ଜାରି ରଖିଛି ।












Leave a Reply