ଏଲପିଜି ସଙ୍କଟ ନେଇ ଭାରତକୁ ବଡ଼ ଆଶ୍ୱସ୍ତି; ଦୁଇଟି ଏଲପିଜି ବୋଝେଇ ଜାହାଜକୁ ହର୍ମୁଜ ଜଳପଥ ଦେଇ ଯିବାକୁ ଇରାନ୍ ର ଅନୁମତି ।

ଅକ୍ଷର ବ୍ୟୁରୋ: ଦେଶରେ ଏଲପିଜି ସଙ୍କଟ ଲାଗି ରହିଥିବା ବେଳେ ଭାରତକୁ ମିଳିଛି ଏକ ବଡ଼ ଆଶ୍ୱସ୍ତି । ଇରାନ୍ ଭାରତର ଦୁଇଟି ଏଲପିଜି ବୋଝେଇ ଜାହାଜକୁ ହର୍ମୁଜ ହରମୁଜ ଜଳପଥ ଦେଇ ଯିବାକୁ ଅନୁମତି ଦେଇଛି । ଇରାନର ରାଷ୍ଟ୍ରଦୂତ ମହମ୍ମଦ ଫତାଲି ଶୁକ୍ରବାର ସଙ୍କେତ ଦେଇଥିଲେ ଯେ, ବିଶ୍ୱର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ ହର୍ମୁଜ ଜଳପଥରୁ ତେଲ ଆଣିବା ପାଇଁ ଭାରତକୁ ଏକ ସୁରକ୍ଷିତ ରାସ୍ତା ଦିଆଯିବ । ଏମିତି ଏହାର କିଛି ଘଣ୍ଟା ପୂର୍ବରୁ ଇରାନ୍ ରାଷ୍ଟ୍ରଦୂତ ଗଣମାଧ୍ୟମକୁ ସୂଚନା ଦେଇ ଭାରତକୁ ବନ୍ଧୁ ବୋଲି କହିଥିଲେ । ଇରାନର ଏହି ପଦକ୍ଷେପ ଯୋଗୁ ବର୍ତ୍ତମାନ ଏଲପିଜି ସଙ୍କଟ ଦେଇ ଗତି କରୁଥିବା ଭାରତକୁ ବଡ଼ ଆଶ୍ୱସ୍ତି ମିଳିବାକୁ ଯାଉଛି ।

ଦେଶର ବିଭିନ୍ନ ସ୍ଥାନରେ ଏଲପିଜି ସଙ୍କଟକୁ ନେଇ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଗୋଟିଏ ସିଲିଣ୍ଡର ପାଇବା ପାଇଁ ଶହ ଶହ ଲୋକ ଏଜେନ୍ସି ଆଗରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଖାଇବା ଦୋକାନ ବନ୍ଦ ହେବା ସହ କଳାବଜାରୀ ହେଉଥିବା ନେଇ ଖବର ସାମ୍ନାକୁ ଆସୁଛି । ଯଦିଓ କେନ୍ଦ୍ର ସରକାର ଲଗାତାର ଭାବେ କହୁଛନ୍ତି ଯେ ଦେଶରେ ଏଲପିଜି ଅଭାବ ନାହିଁ । ଘରେ ଘରେ ଏଲପିଜି ଯୋଗାଣ ନିରବଚ୍ଛିନ୍ନ କରିବାକୁ ସୁନିଶ୍ଚିତ କରାଯାଇଛି ଏବଂ ସିଲିଣ୍ଡର ପାଇଁ କୌଣସି ପ୍ରକାରର ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ସରକାର କହିଛନ୍ତି ।

ଏପଟେ ଓଡ଼ିଶାରେ ରନ୍ଧନ ଗ୍ୟାସର ଉପଲବ୍ଧତା ନେଇ ଜରୁରୀ ବୈଠକ ହୋଇଛି । ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ସଚିବ, ଉପଭୋକ୍ତା ବ୍ୟାପାର ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ ସବୁ ରାଜ୍ୟର ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ମାନଙ୍କ ମଧ୍ୟରେ ବୈଠକ ହୋଇଯାଇଛି । ଏଥିରେ ଦେଶରେ ରନ୍ଧନ ଗ୍ୟାସର ସଠିକ୍ ବିତରଣ ଓ ସ୍ୱଚ୍ଛତାର ସହ କରିବାକୁ ଗୁରୁତ୍ୱ ଦିଆଯାଇଛି । କଳାବଜାରୀ ରୋକିବାକୁ ଓଟିପି ମାଧ୍ୟମରେ ବୁକିଂ ଓ ଡେଲିଭରୀ ଉପରେ ଗୁରୁତ୍ୱ ଦିଆଯିବାକୁ କଡ଼ାକଡ଼ି ନିର୍ଦ୍ଦେଶ ରହିଛି । ଆପାତକାଳୀନ ପରିସ୍ଥିତିରେ କମର୍ସିଆଲ ଗ୍ୟାସ ପୂର୍ବରୁ ଯେତିକି ବ୍ୟବହାର କରୁଥିଲେ ତାର ୨୦ ପ୍ରତିଶତ ପ୍ରଦାନ କରାଯିବ । ଅତ୍ୟଧିକ ବୁକିଂ ଯୋଗୁ ସର୍ଭର ଡାଉନ ହୋଇଯାଇଛି । ତେଣୁ ଏଥିରେ ବାଧା ନହେବା ପାଇଁ ସର୍ଭର ସ୍ପିଡ୍ ବଢ଼ାଇବା ଉପରେ କାମ ଚାଲିଛି । ଅନ୍ୟପକ୍ଷରେ ଗ୍ରାମାଞ୍ଚଳରେ ଡେଲିଭରୀ ଅବଧି ୪୫ ଦିନକୁ ବୃଦ୍ଧି କରାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)