ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଗଣତିମଣତି; ଗଣତିମଣତିରେ ଜିମୋଲୋଜିଷ୍ଟଙ୍କୁ ସାମିଲ ନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ।

ଅକ୍ଷର ବ୍ୟୁରୋ: ଆସନ୍ତାକାଲି ରତ୍ନଭଣ୍ଡାର ରତ୍ନ ଗଣତିମଣତି ହେବାକୁ ଥିବା ବେଳେ ପ୍ରଶାସନିକ ପ୍ରସ୍ତୁତି ନେଇ ଆଇନମନ୍ତ୍ରୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ସମୀକ୍ଷା ବୈଠକ କରିଥିଲେ । ବୈଠକରେ ଶ୍ରୀ ହରିଚନ୍ଦନ କହିଥିଲେ, ଆସନ୍ତା ୨୫ ତାରିଖରୁ ବହୁ ପ୍ରତୀକ୍ଷିତ ଗଣତିମଣତି କାର୍ଯ୍ୟ ଆରମ୍ଭ ହେବ । ଦୀର୍ଘ ପ୍ରାୟ ୪୭ ବର୍ଷ ହେବ ଏହି କାର୍ଯ୍ୟ ହୋଇନି । ଆସନ୍ତା ୧୦୦ ବର୍ଷ ପର୍ଯ୍ୟନ୍ତ ଏହା ଯେପରି ରତ୍ନଭଣ୍ଡାର ଭିତରେ ସୁରକ୍ଷିତ ରହିବ ସେ ଉଦ୍ଦେଶ୍ୟରେ ଏସ୍ଓପି ଅନୁଯାୟୀ ପଦକ୍ଷେପ ନିଆଯାଉଛି । ଏଥିନିମନ୍ତେ ରାଜ୍ୟ ଜିଓଲୋଜି ନିର୍ଦ୍ଦେଶକ (ମାଇନିଂ)ଙ୍କ ପକ୍ଷରୁ ଜିମୋଲୋଜିଷ୍ଟ ନିୟୋଜିତ ହେବେ । ପୂର୍ବ ଗଣତିମଣତି (୧୯୭୮ ମସିହା) ବେଳେ ଜିମୋଲୋଜିଷ୍ଟ ମୁତୟନ ହୋଇନଥିଲେ । ତେଣୁ ଅନେକ ରତ୍ନପଥର କ’ଣ ଜାଣି ହୋଇନଥିଲା । ତେଣୁ ଚଳିତ ଥର ରତ୍ନଭଣ୍ଡାର ଗଣତିମଣତିରେ ଜିମୋଲୋଜିଷ୍ଟଙ୍କୁ ସାମିଲ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ଗଣତିମଣତିରେ ଆର୍‌ବିଆଇର ବିଶେଷଜ୍ଞ, ଜିମୋଲୋଜିଷ୍ଟ, ଫଟୋଗ୍ରାଫର ପ୍ରମୁଖ ନିୟୋଜିତ ହେବେ । ଗଣତିମଣତି ସାରିବାକୁ କେତେ ସମୟ ଲାଗିବ କହିହେବନି । ରତ୍ନଅଳଙ୍କାର ପ୍ରଭୃତି ପୂର୍ବ ଗଣତିମଣତି ତାଲିକା ସହ ମେଳକ କରିବା ହେଉଛି ପ୍ରଥମ କାମ । ଗଣତି ପ୍ରକ୍ରିୟା ସମୟରେ ସମ୍ପୂର୍ଣ୍ଣ କାର୍ଯ୍ୟର ଭିଡିଓଗ୍ରାଫି, ଫଟୋଗ୍ରାଫି ଓ ୩ଡି ମ୍ୟାପିଂ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଯାହା ମାଧ୍ୟମରେ ପାରଦର୍ଶିତା ଓ ତଥ୍ୟ ସଂରକ୍ଷଣ ସୁନିଶ୍ଚିତ ହେବ । ସମସ୍ତ ରତ୍ନ ଅଳଙ୍କାରକୁ ଦୁଇ ତିନି ପରସ୍ତ ଘୋଡ଼ାଇ ସିନ୍ଦୁକ ଭିତରେ ସୁରକ୍ଷିତ ରଖାଯିବ । ଗଣତିମଣତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଭାବିତ ନହେବାକୁ ବିଶେଷ ଗୁରୁତ୍ୱ ଦେବା ପାଇଁ ସେବାୟତ ଓ ନୀତି ପ୍ରଶାସକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମହାପ୍ରଭୁ ଦାୟିତ୍ୱ ନେଇ ଏହି ତଦାରଖ କରିବେ ଓ ସେ ହିଁ ନିୟୋଜିତ ଦଳଙ୍କୁ ଏହି କାର୍ଯ୍ୟ କରିବାକୁ ଶକ୍ତି ଦେବେ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)