ଅକ୍ଷର ବ୍ୟୁରୋ: ଏପ୍ରିଲ ୧ ଅର୍ଥାତ ଆଜିଠାରୁ ଆରମ୍ଭ ହେବ ଜନଗଣନା । ସାରା ଦେଶରେ ଏକାସାଙ୍ଗରେ ଆରମ୍ଭ ହେବ ଏହି ପ୍ରକ୍ରିୟା । ରାଜ୍ୟର ପ୍ରଥମ ନାଗରିକ ରାଜ୍ୟପାଳଙ୍କ ବାସଭବନରୁ ଏହି ପ୍ରକ୍ରିୟାର ଶୁଭାରମ୍ଭ ହେବ । ପ୍ରଥମ ୧୫ ଦିନ ସ୍ୱଗଣନା ହେବ । ଏପ୍ରିଲ ୧୬ ତାରିଖଠାରୁ ମେ ୧୫ ତାରିଖ ଯାଏ ଜନଗଣନାକାରୀ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ ବୋଲି ସରକାର ସୂଚନା ଦେଇଛନ୍ତି । ଏପ୍ରିଲ ପହିଲାରୁ ପ୍ରଥମେ ସ୍ୱଗଣନା ବା ସେଲ୍ଫ ଏନୁମରେସନ ହେବ । se.census.gov.in ପୋର୍ଟାଲକୁ ଯାଇ ବା ଏହାର ମୋବାଇଲ ଆପ୍ରେ ନିଜେ ନିଜର ତଥ୍ୟ ଦେଇପାରିବେ ।
ପ୍ରତି ନାଗରିକ ୩୩ଟି ପ୍ରଶ୍ନର ଉତ୍ତର ଦେବେ । ୧୬ ତାରିଖଠାରୁ ମେ ୧୫ ତାରିଖ ଯାଏ ଜିଲ୍ଲାରେ ଘରକୁ ଘର ବୁଲି ଜନଗଣନା କରାଯିବ । ଅଧିକାରୀମାନେ ବି ଲୋକଙ୍କୁ ସେହି ସମାନ ୩୩ଟି ପ୍ରଶ୍ନ ପଚାରିବେ । ସେଲ୍ଫ ଏନୁମରେସନ ବା ପୋର୍ଟାଲରେ ସ୍ୱଗଣନା ବାଧ୍ୟତାମୂଳକ ନୁହେଁ । କିନ୍ତୁ ଯେଉଁମାନେ ଏହାକୁ କରି ନିଜ ତଥ୍ୟ ଦେଇଥିବେ ସେମାନଙ୍କୁ ଆଉ ଜନଗଣନାରେ ସାମିଲ ହେବାକୁ ପଡ଼ିବନି । କେବଳ ଜନଗଣନା କରୁଥିବା ଅଧିକାରୀଙ୍କୁ ନିଜର ରେଫରେନ୍ସ ନମ୍ବର ଦେବାକୁ ହେବ । ବିକଶିତ ଦେଶ ଗଠନ ପାଇଁ ଜନଗଣନା କରୁଥିବା ଅଧିକାରୀଙ୍କୁ ଠିକ୍ ଓ ନିର୍ଭୁଲ ତଥ୍ୟ ଦେବାକୁ ରାଜ୍ୟ ଜନଗଣନା ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି ।
ସବୁଠୁ ବଡ଼ କଥା ହେଉଛି ଜନଗଣନା ପ୍ରକ୍ରିୟାରେ ଏସ୍ଆଇଆର୍କୁ ସାମିଲ କରାଯିବନି । ଭୋଟର ତାଲିକା ସଂଶୋଧନ ନେଇ ହେବାକୁ ଥିବା ଏସ୍ଆଇଆରକୁ ଏବେ ପାଇଁ ସ୍ଥଗିତ ରଖାଯାଇଛି । ବିଭିନ୍ନ ରାଜ୍ୟରେ ନିର୍ବାଚନ ଥିବାରୁ ଏହା କିଛି ଦିନ ପାଇଁ ସ୍ଥଗିତ ରହିଛି । ୨୦୧୧ରେ ଶେଷ ଥର ପାଇଁ ଦେଶରେ ଜନଗଣନା ହୋଇଥିଲା । ଦୀର୍ଘ ୧୫ ବର୍ଷ ପରେ ଜନଗଣନା ହେବାକୁ ଯାଉଛି । ଏଥର ପ୍ରଥମଥର ପାଇଁ ଡିଜିଟାଲ ଭିତ୍ତିକ ଜନଗଣନା ହେବ । ଜନଗଣନାରେ ଜନସଂଖ୍ୟା ତଥ୍ୟ ସହିତ, ଗୃହ ଓ ସାମାଜିକ ତଥା ଅର୍ଥନୈତିକ ମାପଦଣ୍ଡ ଉପରେ ବିସ୍ତୃତ ଓ ବ୍ୟାପକ ତଥ୍ୟ ସଂଗ୍ରହ ହେବ । ଜନଗଣନା ପ୍ରକ୍ରିୟାରେ ରାଜ୍ୟରେ ୧ ଲକ୍ଷ ୨୦ ହଜାରରୁ ଅଧିକ ଶିକ୍ଷକ ଓ କର୍ମଚାରୀ ସାମିଲ ହେବେ । ତେବେ ଜନଗଣନାର ତଥ୍ୟ ଆର୍ଟିଆଇ ବା ସୂଚନା ଅଧିକାର ଆଇନର ପରିସରରେ ଆସିବନି ବୋଲି ଜନଗଣନା ନିର୍ଦ୍ଦେଶକ ସ୍ପଷ୍ଟ କରିଛନ୍ତି । ଜନଗଣନା ସମୟରେ ନାଗରିକ ଦେଉଥିବା ପ୍ରତିଟି ତଥ୍ୟ ଗୋପନୀୟ ରହିବ ।












Leave a Reply