ଅକ୍ଷର ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଦ୍ୱିତୀୟ ପର୍ଯ୍ୟାୟ ଗଣତିର ଆଜି ତୃତୀୟ ଦିନ । ବାହାର ରତ୍ନଭଣ୍ଡାର ଗଣତିମଣତି ପାଇଁ ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ, ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସମେତ ଅନ୍ୟ ପ୍ରାଧିକୃତ ଅଧିକାରୀ, ସେବକ ଓ କର୍ମଚାରୀମାନେ ମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି । ଶନିବାର ବି ଚାଲିବ ଅଳଙ୍କାରର ଗଣତିମଣତି । ରବିବାର ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଗଣତିମଣତି ବନ୍ଦ ରହିବ । ୧୩ ତାରିଖ ଓ ପରେ ୧୬ରୁ ୧୮ ତାରିଖରେ ମଧ୍ୟରେ ଜାରି ରହିବ ଗଣତିମଣତି ।
ପ୍ରଥମ ପର୍ଯ୍ୟାୟରେ ଚଳନ୍ତି ରତ୍ନଭଣ୍ଡାରରେ ଥିବା ରତ୍ନଅଳଙ୍କାର ଇତ୍ୟାଦିର ଗଣତିମଣତି ସରିବା ପରେ ଏହି କାର୍ଯ୍ୟ ନିମନ୍ତେ ନିୟୋଜିତ ଟିମ୍ ଦ୍ୱିତୀୟ ପର୍ଯ୍ୟାୟରେ ବାହାର ରତ୍ନଭଣ୍ଡାର ଗଣତିମଣତି କରିଥିଲେ । ତୃତୀୟ ଦିନରେ ରତ୍ନଭଣ୍ଡାର ଗଣତିମଣତି ଟିମ୍ ବଡ଼ଦେଳକୁ ପ୍ରବେଶ କରିଛନ୍ତି । ପୂର୍ବ ନିର୍ଦ୍ଧାରିତ ମାର୍ଗଦର୍ଶିକା ଅନୁଯାୟୀ ସକାଳ ଧୂପ ପରେ ଗଣତି କାର୍ଯ୍ୟ ଆରମ୍ଭ ହୋଇଛି । ଗଣତିମଣତି ସମୟରେ ବାହାର କାଠ ଠାରୁ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ନୀତିକାନ୍ତିକୁ ପ୍ରଭାବିତ ନ କରି ଗଣତିମଣତି କାର୍ଯ୍ୟ ଚାଲୁଛି ।
ପ୍ରଥମ ଦିନରେ ପ୍ରାୟ ସାଢ଼େ ୬ ଘଣ୍ଟା ବାହାର ରତ୍ନଭଣ୍ଡାର ଗଣତିମଣତି କରାଯାଇଛି । ହାଇଲେବଲ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ, ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସମେତ ଅନ୍ୟ ପ୍ରାଧିକୃତ ଅଧିକାରୀ, ସେବକ ଓ କର୍ମଚାରୀ ଗଣତିମଣତିରେ ସାମିଲ ହୋଇଥିଲେ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଦିନ ୧୧ଟା ୫୫ରେ ରତ୍ନଭଣ୍ଡାର ଖୋଲାଯାଇଥିଲା । ଅଳଙ୍କାର ଆଦିର ଫଟୋଗ୍ରାଫି, ଭିଡିଓଗ୍ରାଫି ସହ ଇ-କ୍ୟାଟଲଗ୍ କରାଯାଇଥିଲା । ଦ୍ୱିତୀୟ ଦିନରେ ପ୍ରାୟ ୧୨ଟା ୧୦ରୁ ସନ୍ଧ୍ୟା ୬ଟା ୧୦ ପର୍ଯ୍ୟନ୍ତ ୬ ଘଣ୍ଟା ଧରି ହୋଇଥିଲା ଗଣତିମଣତି । ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ ଥିବା ମଣି, ମାଣିକ୍ୟ, ରତ୍ନ, ଅଳଙ୍କାର ଓ ବିଭିନ୍ନ ଦ୍ରବ୍ୟକୁ ଚିହ୍ନଟ କରୁଛନ୍ତି ରତ୍ନ ବିଶାରଦ ବା ଜେମୋଲାଜିଷ୍ଟ । ରତ୍ନ ଅଳଙ୍କାରର ମୂଲ୍ୟାଙ୍କନ ନ ହୋଇ କେବଳ ଓଜନ ମାପ କରାଯାଇଥିଲା।












Leave a Reply