ଅକ୍ଷର ବ୍ୟୁରୋ: କଟକର ଜଣେ ଛାତ୍ରୀଙ୍କୁ ଅପହରଣ କରି ପୁରୀରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ମାଷ୍ଟର୍ମାଇଣ୍ଡକୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ଜଣକ ଯାଜପୁର ବିଞ୍ଝାରପୁର ଥାନା କଲ୍ୟାଣୀପୁର ଅଞ୍ଚଳର ସତ୍ୟବ୍ରତ ପରିଡ଼ା । ପୋଲିସ ତାକୁ ଯାଜପୁରରୋଡ୍ ରେଳଷ୍ଟେସନ୍ ନିକଟରୁ ବୁଧବାର ଗିରଫ କରିଛି । ଏହି ମାମଲାରେ ସଂପୃକ୍ତ ଅନ୍ୟ ତିନିଜଣ ଫେରାର ହୋଇଯାଇଛନ୍ତି । ପୋଲିସର ଆଉ ଏକ ଟିମ୍ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।
ନାବାଳିକା ଜଣକ କଟକରେ ଏକ କଲେଜରେ ଯୁକ୍ତ ୩ ପଢ଼ୁଛନ୍ତି । ବିଞ୍ଝାରପୁରର ସତ୍ୟବ୍ରତ ପରିଡ଼ା ଦିଲ୍ଲୀର ଏକ କମ୍ପାନିରେ ଚାକିରି କରେ । ଉଭୟଙ୍କ ମଧ୍ୟରେ ପୂର୍ବରୁ ପରିଚୟ ଥିଲା । ଫେବ୍ରୁଆରିରେ ସତ୍ୟବ୍ରତ ଏକ ବାଇକ୍ରେ ଛାତ୍ରୀଙ୍କୁ କଟକରୁ ଅପହରଣ କରି ପୁରୀ ନେଇଯାଇଥିଲା । ସାଙ୍ଗରେ ସତ୍ୟବ୍ରତର ଅନ୍ୟ ତିନି ଜଣ ବନ୍ଧୁ ମଧ୍ୟ ଥିଲେ । ଦୁଇଟି ବାଇକ୍ରେ ଏମାନେ ପୁରୀ ଯାଇଥିଲେ । ସେମାନେ ସମସ୍ତେ ବି ବିଞ୍ଝାରପୁର ଅଞ୍ଚଳର ବାସିନ୍ଦା । ପୁରୀରେ ପହଞ୍ଚିବା ପରେ ଏକ ହୋଟେଲ୍ରେ ସମସ୍ତେ ରହିଥିଲେ । ସେଠାରେ ନାବାଳିକାଙ୍କୁ ଅଟକ ରଖି ଖାଦ୍ୟ ଓ ପାନୀୟ ଦେଇଥିଲେ । ଖାଇବା ପରେ ନାବାଳିକା ଜଣକ ଅଚେତ ହୋଇପଡ଼ିଥିଲେ । ଏହାର ସୁଯୋଗ ନେଇ ସତ୍ୟବ୍ରତ ଓ ଅନ୍ୟ ତିନିଜଣ ବନ୍ଧୁ ଏହି ନାବାଳିକାଙ୍କୁ ହୋଟେଲ୍ ଭିତରେ ବାରମ୍ବାର ଗଣଦୁଷ୍କର୍ମ କରିଥିଲେ । ଥାନାରେ ମାମଲା ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଆଉ ୩ଜଣଙ୍କୁ ଖୋଜୁଛି ପୋଲିସ୍ ।












Leave a Reply