ରାଜ୍ୟରେ ସାମୁଦ୍ରିକ ପର୍ଯ୍ୟାବରଣର ସୁରକ୍ଷା ଏବଂ ଅର୍ଥନୀତିର ବିକାଶ ପାଇଁ କାର୍ଯ୍ୟକାରୀ ହେବ ମେରାଇନ୍ ସ୍ପାସିଆଲ୍ ପ୍ଲାନ୍; ଏନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ MoU ସ୍ୱାକ୍ଷରିତ ।

ଅକ୍ଷର ବ୍ୟୁରୋ: ରାଜ୍ୟରେ ଉପକୂଳ ଅର୍ଥନୀତି ତଥା ସାମୁଦ୍ରିକ ପର୍ଯ୍ୟାବରଣରେ ସନ୍ତୁଳନ ରକ୍ଷାକରିବାର ଲକ୍ଷ୍ୟ ନେଇ ରାଜ୍ୟ ସରକାର କାର୍ଯ୍ୟକାରୀ କରିବେ ଏକ ମେରାଇନ୍ ସ୍ପାସିଆଲ୍ ପ୍ଲାନ୍ ବା MSP । ଏଥିପାଇଁ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ପୃଥ୍ବୀ-ବିଜ୍ଞାନ ମନ୍ତ୍ରାଳୟ (Ministry of Earth Science) ମଧ୍ୟରେ ଗତକାଲି ଲୋକସଭା ଭବନରେ ଏକ MoU ସ୍ୱାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ପୂଜା ମିଶ୍ର ଓ National Centre for Coastal Researchର ନିର୍ଦ୍ଦେଶକ ଡକ୍ଟର ଆର୍‌.ଏସ୍. କନ୍‌କରା ଏହି MoUରେ ସ୍ୱାକ୍ଷର କରିଥିଲେ । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ୍ ସ୍ବାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କେନ୍ଦ୍ର ସରକାରଙ୍କ ପୃଥ୍ବୀ-ବିଜ୍ଞାନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀଗଣ, ନରୱେ ସରକାରଙ୍କ ଅଧିକାରୀଗଣ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ, ଭାରତ ସରକାର ଓ ନରୱେ ସରକାରଙ୍କ ମିଳିତ ସହଯୋଗରେ ୨୦୧୯ ମସିହା ଠାରୁ ଦେଶରେ Sustainable Ocean Planning ଆରମ୍ଭ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଏହା ପୁଡୁଚେରୀ ଓ ଲାକ୍ଷାଦ୍ବୀପରେ କାର୍ଯ୍ୟକାରୀ ହୋଇଛି । ଦ୍ବିତୀୟ ପର୍ଯ୍ୟାୟରେ ଓଡିଶା ପ୍ରଥମ ରାଜ୍ୟ ଭାବେ ଏହା କାର୍ଯ୍ୟକାରୀ କରୁଛି । ଓଡିଶାର ଉପକୂଳ ଅର୍ଥନୀତି ଏବଂ ସାମୁଦ୍ରିକ ପର୍ଯ୍ୟାବରଣର ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାର ଏହି ଯୋଜନାକୁ ଓଡିଶାରେ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ଅବସରରେ ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ମେରାଇନ୍ ସ୍ପାସିଆଲ୍ ପ୍ଲାନ୍ ବା MSP କାର୍ଯ୍ୟକାରୀ ହେବାଦ୍ବାରା ରାଜ୍ୟର ନୀଳ ଅର୍ଥନୀତି (Blue-Economy)ର ଉନ୍ନତି ହେବା ସହିତ ସାମୁଦ୍ରିକ ପର୍ଯ୍ୟାବରଣର ସୁରକ୍ଷା ମଧ୍ୟ ହୋଇପାରିବ । ସ୍ଥାନୀୟ ଉପକୂଳ ଅର୍ଥନୀତିର ଉନ୍ନତି ସହିତ ସାମୁଦ୍ରିକ ଜୀବଜଗତ ସୁରକ୍ଷିତ ରହିବେ । ସମନ୍ୱିତ ଉପକୂଳ ଓ ସାମୁଦ୍ରିକ ଯୋଜନା କାର୍ଯ୍ୟକାରୀ କରିବାରେ ଏହି MSP ଏକ ନୂଆ ବେଞ୍ଚମାର୍କ ସୃଷ୍ଟି କରିବ ।

ଓଡିଶାରେ ଉପକୂଳ ଓ ସାମୁଦ୍ରିକ ଅଞ୍ଚଳ ଜୈବ ବିବିଧତାରେ ପରିପୂର୍ଣ୍ଣ ଏବଂ ଉପକୂଳ ଅଞ୍ଚଳ ପାଇଁ ପ୍ରଚୁର ପ୍ରାକୃତିକ ସମ୍ବଳ ଯୋଗାଇଥାଏ । ସ୍ଥାନୀୟ ଜୀବିକା, ଅର୍ଥନୈତିକ ଅଭିବୃଦ୍ଧି ଓ ସନ୍ତୁଳିତ ପର୍ଯ୍ୟାବରଣ ପାଇଁ ଏହି ସମ୍ବଳ ଗୁଡିକ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେବେ ବିକାଶ କାର୍ଯ୍ୟକ୍ରମ, ପରିବେଶ ଉପରେ ଏହାର ପ୍ରଭାବ ଏବଂ ବିଭିନ୍ନ କ୍ଷେତ୍ରର କ୍ରମାଗତ ଚାହିଦା ବୃଦ୍ଧି ଯୋଗୁ ସାମୁଦ୍ରିକ ଅଞ୍ଚଳ ଗୁଡିକୁ ବୈଜ୍ଞାନିକ ପଦ୍ଧତିରେ ପରିଚାଳନା କରିବାର ଆବଶ୍ୟକତା ସୃଷ୍ଟି ହୋଇଛି । ଏହି ମେରାଇନ୍ ସ୍ପାସିଆଲ୍ ପ୍ଲାନ୍ ବା MSP ଏ କ୍ଷେତ୍ରରେ ଏକ ସମୟ ଉପଯୋଗୀ ପଦକ୍ଷେପ । ଏହା ଆମର ମତ୍ସ୍ୟଚାଷ, ପର୍ଯ୍ୟଟନ, ବନ୍ଦର, ସାମୁଦ୍ରିକ ଶକ୍ତି ଆଦି ବିଭିନ୍ନ କ୍ଷେତ୍ରର ଆବଶ୍ୟକତା ପୂରଣ କରିବା ସହିତ ମେରାଇନ୍ ଇକୋସିଷ୍ଟମର ସୁରକ୍ଷାରେ ମଧ୍ୟ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଆହୁରି ମଧ୍ୟ କହିଥିଲେ ଯେ, ଗତବର୍ଷ ଅଗଷ୍ଟ ମାସରେ ସାମୁଦ୍ରିକ ପର୍ଯ୍ୟାବରଣର ଓ ସ୍ଥାନୀୟ ଅର୍ଥନୀତିର ଉନ୍ନତି ପାଇଁ ବାୟୋଟେକ୍ନୋଲୋଜିର ବ୍ୟାପକ ପ୍ରୟୋଗ କରିବାକୁ OMBRIC (Odisha Marine Biotechnology Research and Innovation Corridor) ଆରମ୍ଭ କରାଯାଇଥିଲା । ଏହା ଆମର ବର୍ତ୍ତମାନର MSP କାର୍ଯ୍ୟକ୍ରମକୁ ସୁଦୃଢ କରିବ ବୋଲି ସେ କହିଥିଲେ । ସମୃଦ୍ଧ ଓଡିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ର ଲକ୍ଷ୍ୟକୁ ସବୁ ଦୃଷ୍ଟିରୁ ପୂରଣ କରିବା ପାଇଁ ଉପକୂଳ ଅର୍ଥନୀତି ଓ ସାମୁଦ୍ରିକ ପର୍ଯ୍ୟାବରଣର ସୁରକ୍ଷା ଏକ ଜରୁରୀ ଆବଶ୍ୟକତା । ତେଣୁ, ଏ କ୍ଷେତ୍ରରେ ନରୱେ ସରକାର ସହଯୋଗ ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ପ୍ରତ୍ୟେକ କ୍ଷେତ୍ରରେ ଓଡିଶାକୁ ଦୃଢ ସମର୍ଥନ ଦେଇଆସିଛନ୍ତି। ଓଡିଶାର ବିକାଶ ପ୍ରତି ତାଙ୍କର ଫୋକସ ଯୋଗୁ Sustainable Ocean Planning ର ଦ୍ବିତୀୟ ପର୍ଯ୍ୟାୟରେ ଓଡିଶା ପ୍ରଥମ ରାଜ୍ୟ ଭାବେ ଏହାକୁ କାର୍ଯ୍ୟକାରୀ କରିବାର ସୁଯୋଗ ପାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ପୃଥ୍ବୀ-ବିଜ୍ଞାନ ମନ୍ତ୍ରାଳୟକୁ ଧନ୍ୟବାଦ ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ ନିଜର ମତାମତ ରଖି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ଯେ, କେନ୍ଦ୍ର ପୃଥ୍ବୀ-ବିଜ୍ଞାନ ମନ୍ତ୍ରାଳୟର ନେସନାଲ୍ ସେଣ୍ଟର ଫର୍ କୋଷ୍ଟାଲ ରିସର୍ଚ୍ଚ ବା NCCR ହେଉଛି ସାମୁଦ୍ରିକ ଗବେଷଣାରେ ଏକ ଅଗ୍ରଣୀ ଅନୁଷ୍ଠାନ । ସାମୁଦ୍ରିକ ଜୀବଜଗତର ସୁରକ୍ଷା, ପରିବେଶ ପରିବର୍ତ୍ତନର ପ୍ରଭାବ ଏବଂ ସାମୁଦ୍ରିକ ସମ୍ବଳର ଉନ୍ନତ ବ୍ୟବହାର ଦିଗରେ ଏହି ସଂସ୍ଥା ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ମଡେଲ୍ ପ୍ରସ୍ତୁତ କରିଛି । ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ MSPର ସଫଳତା ପାଇଁ ସମସ୍ତ ସହଯୋଗ ଯୋଗାଇଦେବ ବୋଲି ସେ କହିଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଥିଲେ ଯେ, ୨୦୩୬ ଓ ୨୦୪୭ର ପରିକଳ୍ପନାକୁ ସଫଳ କରିବା ପାଇଁ ଏହି MSP ଏକ ମହତ୍ବପୂର୍ଣ୍ଣ ଅଭିଯାନ । ମତ୍ସ୍ୟ, ପର୍ଯ୍ୟଟନ ଏବଂ ସାମୁଦ୍ରିକ ଉତ୍ସ ଗୁଡିକର ସର୍ବାଧିକ ବିନିଯୋଗ ସହିତ ପର୍ଯ୍ୟାବରଣର ସୁରକ୍ଷା ଆମର ଲକ୍ଷ୍ୟ ।

କେନ୍ଦ୍ର ପୃଥ୍ବୀ-ବିଜ୍ଞାନ ମନ୍ତ୍ରାଳୟର ସଚିବ ଡକ୍ଟର ଏମ୍ ରବିଚନ୍ଦ୍ରନ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ଭିଜନ ୨୦୪୭ ପାଇଁ ଦେଶକୁ ସମସ୍ତ କ୍ଷେତ୍ରରେ ଅଭିବୃଦ୍ଧି ହାସଲ କରିବାକୁ ପଡିବ । ତା ସହିତ ପରିବେଶ ପରିବର୍ତ୍ତନର ଆହ୍ବାନକୁ ମଧ୍ୟ ମୁକାବିଲା କରିବାକୁ ହେବ । ଆମର ବ୍ଲୁ-ଇକୋନୋମି ଯେପରି ଦୀର୍ଘସ୍ଥାୟୀ ହେବ, ସେଥିପାଇଁ ଏହି MSP ସହାୟକ ହେବ ବୋଲି ସେ ମତ ଦେଇଥିଲେ । ରୟାଲ ନରୱେଜିଆନ୍ ଏମ୍ବାସୀର ଡେପୁଟି ଆମ୍ବାସାଡର ମିଷ୍ଟର ଅର୍‌ଭିନ୍ ଗାଡ୍‌ଗିଲ କହିଲେ ଯେ, ଓଡିଶାର ଏକ ସାମୁଦ୍ରିକ ବାଣିଜ୍ୟ ଐତିହ୍ୟ ରହିଛି । ଏହାର ଏକ ଦୀର୍ଘ ଉପକୂଳ ରହିଛି । ତେଣୁ ସାମୁଦ୍ରିକ ଅର୍ଥନୀତି ତଥା ପର୍ଯ୍ୟାବରଣର ସୁରକ୍ଷା ପାଇଁ ଓଡିଶାର ଏହି ଉଦ୍ୟମରେ ନରୱେ ସରକାର ସମ୍ପୂର୍ଣ୍ଣ ସହାୟତା ଯୋଗାଇଦେବେ । ଟେକ୍ନୋଲୋଜି ଭିତ୍ତିକ ସମ୍ବଳ ପରିଚାଳନା ଜରିଆରେ ଓଡିଶାର ଲୋକଙ୍କ ଦୀର୍ଘକାଳୀନ ବିକାଶ ଲକ୍ଷ୍ୟ ପୂରଣ କରିବା ପାଇଁ ଉଦ୍ୟମ କରାଯିବ ବୋଲି ସେ କହିଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)