ଢ଼େଙ୍କାନାଳ ଜିଲ୍ଲା ପରିଷଦର ଏକାଦଶ ସାଧାରଣ ବୈଠକରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚ଼ନ୍ଦ୍ର ପାତ୍ର; ଜିଲ୍ଲାର ସାମଗ୍ରିକ ଦ୍ରୁତ ବିକାଶ ଉପରେ କଲେ ଆଲୋଚନା ।

ଅକ୍ଷର ବ୍ୟୁରୋ: ଆଜି ଢ଼େଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଷଷ୍ଠ ଜିଲ୍ଲା ପରିଷଦର ଏକାଦଶ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦର ମାନ୍ୟବର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ସାମଗ୍ରିକ ଦ୍ରୁତ ବିକାଶ ଆମ ସମସ୍ତଙ୍କର ଲକ୍ଷ୍ୟ ହେବା ଉଚ଼ିତ ବୋଲି ପ୍ରକାଶ କରି ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହି ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚ଼ନ୍ଦ୍ର ପାତ୍ର ଯୋଗ ଦେଇଥିଲେ । ଏହାସହ ଢେଙ୍କାନାଳର ସାଂସଦ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ପାଣି, ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷା ତଥା ହିନ୍ଦୋଳ ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକ, ପରଜଙ୍ଗର ବିଧାୟକ ଶ୍ରୀଯୁକ୍ତ ବିଭୂତି ଭୂଷଣ ପ୍ରଧାନ, କାମାକ୍ଷାନଗରର ବିଧାୟକ ଶ୍ରୀଯୁକ୍ତ ଶତୃଘ୍ନ ଜେନା, ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ ବିଳାସିନୀ ସେଠୀ, ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲ, ଜିଲ୍ଲା ପରିଷଦର ସମସ୍ତ ସଦସ୍ୟ, ସମସ୍ତ ବ୍ଲକ୍ ଚ଼େୟାରମ୍ୟାନ ଓ ସମସ୍ତ ବିଭାଗୀୟ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ ।

ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟକ୍ରମରେ ପିଲାମାନଙ୍କୁ ଶିକ୍ଷାଦାନ, ପୁସ୍ତକ ଓ ପୋଷାକ ଆଦି ପ୍ରଦାନ, ଭିନ୍ନକ୍ଷମ ପିଲାଙ୍କୁ ଭତ୍ତା ପ୍ରଦାନ, ନୂତନ ଶିକ୍ଷକ ନିଯୁକ୍ତି, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା, ଶ୍ରେଣୀଗୃହ ନିର୍ମାଣ, ବିଭିନ୍ନ ପଞ୍ଚାୟତରେ ପାଇପ ଲାଇନ ଓ ନଳକୂପ ଦ୍ୱାରା ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା ପ୍ରଦାନ , ପି.ଏମ୍. ଜନମନ ଯୋଜନାରେ ବିଦ୍ୟୁତ୍ ଯୋଗାଣ, ରାସ୍ତା ଓ ପୋଲ ନିର୍ମାଣ ଏବଂ ଉଠା ଜଳ ସେଚନ ଆଦି ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ପିଲାମାନଙ୍କୁ ଦିଆଯାଉଥିବା ପୋଷାକ ନିମ୍ନମାନର ଓ କେତେକ ବିଦ୍ୟାଳୟରେ ପୋକରା ଚାଉଳ ଯୋଗାଣ ହୋଇଥିବା ନେଇ ସଦସ୍ୟ ମାନେ ବୈଠକର ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ପିଲାଙ୍କ ଉତ୍ତମ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ନିୟମିତ ଭାବେ ଚାଉଳ ଯୋଗାଣ ଯାଞ୍ଚ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ । ପାଇପ ଲାଇନ ଦ୍ୱାରା ପାନୀୟ ଜଳ ଯୋଗାଣ ସମୟରେ ମଟର ପମ୍ପ ଲଗାଇ ପାଣି ଭିଡି ଘରକୁ ନେଉଥିଲେ, ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ ନିମନ୍ତେ ଲାକ୍ରୋସ୍କୋପିକ୍ ମେସିନ, ଆଡ଼ଭାନ୍ସ୍ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ବ୍ୟବସ୍ଥା, ଆଇ. ସି.ୟୁ. ସ୍ଥାପନ ଓ ଅଧିକ ଡାକ୍ତର ନିଯୁକ୍ତି ଶୀଘ୍ର କରାଯିବ ବୋଲି ମନ୍ତ୍ରୀ ମତ ପ୍ରକାଶ କରିଥିଲେ । ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଉଥିବା ସମସ୍ତ ପ୍ରକାରର ଟୀକା ସଂପୂର୍ଣ୍ଣ ନିରାପଦ ଓ ଫଳପ୍ରସୂ ଅଟେ, ଏଣୁ ଭୟଭୀତ ନ ହୋଇ, କୌଣସି ପ୍ରକାରର ଅପ ପ୍ରଚାରକୁ ବିଶ୍ୱାସ ନ କରି ସମସ୍ତ ପ୍ରକାରର ଟୀକା ଦାନର ସୁଯୋଗ ନେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ ବିଭିନ୍ନ ପଞ୍ଚାୟତର ଜଳା କ୍ଲିଷ୍ଟ ଅଂଚ଼ଳରେ ମୋଟ ୬୫୬ ନଳକୂପ ଖନନ କରାଯିବାର ପ୍ରସ୍ତାବ ରହିଛି, ଏହାକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରି କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ପ୍ରକାରର ପ୍ରକଳ୍ପ କାର୍ଯ୍ୟ ପାଇଁ ଜନସାଧାରଣ ଓ ଲୋକ ପ୍ରତିନିଧିମାନଙ୍କ ପ୍ରସ୍ତାବକୁ ଗୁରୁତ୍ୱ ଦେବାକୁ ସାଂସଦ ଶ୍ରୀଯୁକ୍ତ ପାଣି ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଶେଷରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦିପ୍ତୀ ରଂଜନ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial