ଅକ୍ଷର ବ୍ୟୁରୋ: ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଥାଲାପତି ବିଜୟ ଅର୍ଥାତ୍ ଜୋସେଫ ବିଜୟ । ୧୯୬୭ ପରେ ପ୍ରଥମ ଅଣଦ୍ରାବିଡ଼ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବିଜୟ । ଚେନ୍ନାଇର ନେହରୁ ଷ୍ଟାଡିୟମରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର । ବିଜୟଙ୍କ ସହିତ ତାଙ୍କର କ୍ୟାବିନେଟରେ ସ୍ଥାନ ପାଇଥିବା ୯ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ବିଜୟଙ୍କ ସହ ମନ୍ତ୍ରୀ ଭାବେ ଶପଥ ନେଇଥିବା ୯ ବିଧାୟକ ହେଲେ ଏନ୍. ଆନନ୍ଦ ଯିଏ ଟିଭିକେର ସାଧାରଣ ସମ୍ପାଦକ ଏବଂ ଜଣେ ଅଭିନେତା ମଧ୍ୟ ରହିଛନ୍ତି ।
ଅନ୍ୟ ଜଣେ ଶପଥ ନେଇଥିବା ବିଧାୟକ ହେଲେ ଆଦବ ଅର୍ଜୁନ ଯିଏ ନୂତନ ସରକାରଙ୍କ ଜଣେ ପ୍ରମୁଖ ରଣନୀତିଜ୍ଞ । TVK ମହାସଚିବ କେ.ଜି ଅରୁଣରାଜ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଅଭିଜ୍ଞ ରାଜନେତା କେ.ଏ ସେଙ୍ଗୋଟେୟନ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି, ଯିଏ କି ପୂର୍ବରୁ ୧୦ ଥର ବିଧାୟକ ରହି ସାରିଛନ୍ତି । ପି ଭେଙ୍କଟରମଣନ ଯିଏ ବିଜୟଙ୍କ ଦୀର୍ଘକାଳୀନ ସହଯୋଗୀ ଏବଂ ଟିଭିକେର କୋଷାଧକ୍ଷ ରହିଛନ୍ତି, ସେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଦନ୍ତ ଚିକିତ୍ସକରୁ ରାଜନେତା ହୋଇଥିବା ଟିକେ ପ୍ରଭୁ, ସିଟିଆର ନିର୍ମାଲକୁମାର, ରାଜମୋହନ ଶପଥ ନେଇଛନ୍ତି । ସେହିପରି ଏକମାତ୍ର ମହିଳା ମନ୍ତ୍ରୀ ଭାବେ ସେଲ୍ଭି ଏସ୍. କୀର୍ତ୍ତନ ଶପଥ ନେଇଛନ୍ତି । ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ଦଳର ୫ଜଣ ବିଧାୟକ ମଧ୍ୟ ଯୋଗ ଦେଇଥିଲେ । ରାଜ୍ୟପାଳଙ୍କୁ ୧୨୦ ବିଧାୟକଙ୍କ ସମର୍ଥନ ପତ୍ର ପ୍ରଦାନ କରିଛନ୍ତି ବିଜୟ ।
ତେବେ ଶପଥ ନେବାପରେ ମଞ୍ଚରେ ତିନି ବଡ଼ ନିଷ୍ପତ୍ତି ନେଇଛନ୍ତି ନୂଆ ମୁଖ୍ୟମନ୍ତ୍ରୀ । ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଯୋଗାଣ, ଡ୍ରଗ୍ସ ନିୟନ୍ତ୍ରଣ ପାଇଁ ବିଶେଷ ଟାସ୍କ ଫୋର୍ସ ଗଠନ କରାଯିବ । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ନିଶା ନିବାରଣ ୟୁନିଟ୍ ଖୋଲାଯିବ ବୋଲି ଘୋଷଣା କରିଛନ୍ତି ବିଜୟ । ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବିଶେଷ ଟାସ୍କ ଫୋର୍ସ ଗଠନ କରାଯିବ । ସାଧାରଣ ଲୋକଙ୍କ ସୁବିଧା, ସମାଜର ସୁରକ୍ଷା ଏବଂ ଆଇନ-ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବିଜୟ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ବିଜୟ କହିଛନ୍ତି ଯେ ପୂର୍ବତନ ଡିଏମକେ ସରକାର ରାଜ୍ୟ ଉପରେ ୧୦ ଲକ୍ଷ କୋଟି ଟଙ୍କାର ଋଣ ଛାଡିଯାଇଛି । ଏନେଇ ୨୦୨୧-୨୦୨୬ ଅବଧିର ରାଜ୍ୟ ଆର୍ଥିକ ସ୍ଥିତି ଉପରେ ଏକ ଶ୍ୱେତପତ୍ର ପ୍ରକାଶ କରାଯିବ ।ଶପଥ ଗ୍ରହଣ ପରେ ବିଜୟ ଲୋକଙ୍କୁ ସମ୍ବୋଧିତ କରି ସ୍ୱଚ୍ଛ ପ୍ରଶାସନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି, ନିର୍ବାଚନ ସମୟରେ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ ପାଇଁ ସେ ଚେଷ୍ଟା କରିବେ । ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ ଯୋଗାଣ ଓ ମହିଳା ସୁରକ୍ଷା ତାଙ୍କ ସରକାରର ପ୍ରମୁଖ ଧ୍ୟାନ କ୍ଷେତ୍ର ରହିବ ବୋଲି ସେ କହିଛନ୍ତି ।














Leave a Reply