ଅକ୍ଷର ବ୍ୟୁରୋ: ସାମାନ୍ୟ ବଚସାରୁ ଘଟିଲା ଲଙ୍କାକାଣ୍ଡ। ଶୁଦ୍ଧକ୍ରିୟା କାର୍ଯ୍ୟକ୍ରମରେ ପାରମ୍ପରିକ ଗୋଡ଼ ଧୁଆ ରୀତିକୁ କେନ୍ଦ୍ର କରି ଦୁଇଜଣଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଯୁକ୍ତିତର୍କ ଶେଷରେ ରକ୍ତାକ୍ତ ହିଂସାର ରୂପ ନେଇଛି। ଧାରୁଆ ଫାର୍ଶାରେ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ବେଳେ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ରେଙ୍ଗାଲି ପୁଲିସ।
ଘଟଣାଟି ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ପିଥିଣ୍ଡା ଗ୍ରାମରେ ଘଟିଛି। ସୂଚନା ଅନୁସାରେ, ଗ୍ରାମରେ ଏକ ଶୁଦ୍ଧକ୍ରିୟା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଶହ ଶହ ଲୋକ ଉପସ୍ଥିତ ଥିଲେ। ଏହି ସମୟରେ ସମାଜର ପାରମ୍ପରିକ ଗୋଡ଼ ଧୁଆ ପ୍ରଥାକୁ ନେଇ ଅନାମ ମାଝୀ ଓ ପ୍ରେମାନନ୍ଦ ବିଶିଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ଦେଖୁ ଦେଖୁ ବିବାଦ ଉଗ୍ର ରୂପ ଧାରଣ କରିଥିଲା। ଅଭିଯୋଗ ଅନୁସାରେ, ପ୍ରେମାନନ୍ଦ ବିଶି ଏକ ଧାରୁଆ ଫାର୍ଶାରେ ଅନାମ ମାଝୀଙ୍କ ମୁଣ୍ଡ, ହାତ ଓ ଶରୀରର ବିଭିନ୍ନ ସ୍ଥାନକୁ ଆକ୍ରମଣ କରିଥିଲେ। ଫଳରେ ଅନାମ ଘଟଣାସ୍ଥଳରେ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ଗୁରୁତର ଆହତ ହୋଇଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ପରିବାର ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ପ୍ରଥମେ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।
ଘଟଣାର ଖବର ପାଇ ରେଙ୍ଗାଲି ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ପ୍ରେମାନନ୍ଦ ବିଶିଙ୍କୁ ଗିରଫ କରିଛି। ଏହାସହ ଆକ୍ରମଣରେ ବ୍ୟବହୃତ ଧାରୁଆ ଫାର୍ଶାକୁ ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଶୁଦ୍ଧକ୍ରିୟା ପରି ଏକ ସାମାଜିକ କାର୍ଯ୍ୟକ୍ରମରେ ସାମାନ୍ୟ ବିବାଦ ହିଂସାର ରୂପ ନେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।















Leave a Reply