ଅନୁଗୋଳରେ ହାତୀ ଆତଙ୍କ ଚରମରେ; ସଞ୍ଜ ନଇଁଲେ ଘରେ ବନ୍ଦ ଲୋକେ, ଗାଁ ମୁହାଁ ହେଉଛନ୍ତି ବନ୍ୟହସ୍ତୀ

ଅକ୍ଷର ବ୍ୟୁରୋ: ଅନୁଗୋଳ ଜିଲ୍ଲାରେ ହାତୀ-ମଣିଷ ସଂଘର୍ଷ ଦିନକୁ ଦିନ ଗମ୍ଭୀର ରୂପ ନେଉଛି। ଦୀର୍ଘ ବର୍ଷ ଧରି ଚାଲିଆସୁଥିବା ହାତୀ ଉତ୍ପାତ ଏବେ ସ୍ଥାନୀୟ ଲୋକଙ୍କ ଜୀବନକୁ ଅସୁରକ୍ଷିତ କରିଦେଇଛି। ସଞ୍ଜ ହେଲେ ଗାଁଗଣ୍ଡାରେ ଘରେ ଘରେ ତାଟି କବାଟ ପଡ଼ୁଛି। ଭୟରେ ଲୋକେ ଘରୁ ବାହାରକୁ ବାହାରିବାକୁ ସାହସ କରୁନାହାନ୍ତି। କେଉଁଠି ଗୋଠଛଡ଼ା ଦନ୍ତା ହାତୀ ଶୁଣ୍ଢରେ କଚାଡ଼ି ଲୋକଙ୍କ ଜୀବନ ନେଉଛି, ତ ଆଉ କେଉଁଠି ମାଖନା ହାତୀ ପାଦରେ ଦଳି ନିରୀହ ଲୋକଙ୍କ ମୃତ୍ୟୁର କାରଣ ପାଲଟୁଛି। ଏଭଳି ସ୍ଥିତିରେ ଜିଲ୍ଲାବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।

ହାତୀ ଉପଦ୍ରବ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ଦାବି କରାଯାଉଛି। ଗାଁଗୁଡ଼ିକରେ ହାଇମାଷ୍ଟ ଲାଇଟ୍, ସୌରବାଡ଼, ଟ୍ରେଞ୍ଚ, ଏଆଇ କ୍ୟାମେରା ଓ ଡ୍ରୋନ୍ ନଜରଦାରି ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ତଥାପି ହାତୀ ଗାଁ ମୁହାଁ ହେବା ଘଟଣାରେ ସେଭଳି କୌଣସି ଆଖିଦୃଶିଆ ପରିବର୍ତ୍ତନ ଦେଖାଯାଉନାହିଁ।ଯଦିଓ ମଣିଷଙ୍କ ମୃତ୍ୟୁ ସଂଖ୍ୟା ପୂର୍ବ ତୁଳନାରେ କିଛିଟା କମିଥିବା କୁହାଯାଉଛି, ତଥାପି ବିପଦ ଏବେ ବି ଟଳିନାହିଁ। ଅନ୍ୟପଟେ ଚଳିତ ବର୍ଷ ୫ରୁ ଅଧିକ ହାତୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି, ଯାହା ବନ୍ୟଜନ୍ତୁ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି କରିଛି।

ବିଶେଷଜ୍ଞଙ୍କ ମତରେ, ଜଙ୍ଗଲରେ ହାତୀଙ୍କ ପାଇଁ ଖାଦ୍ୟର ଅଭାବ ହିଁ ଏହି ସଂଘର୍ଷର ପ୍ରମୁଖ କାରଣ। ଅନେକ ଜଙ୍ଗଲରେ ଶାଗୁଆନ ଗଛର ପରିମାଣ ବଢ଼ିଥିବା ବେଳେ ହାତୀଙ୍କ ଖାଦ୍ୟ ଉପଯୋଗୀ ଦେଶୀ ପ୍ରଜାତିର ଗଛ କମିଯାଇଛି। ଫଳରେ ଖାଦ୍ୟ ଅନ୍ୱେଷଣରେ ହାତୀମାନେ ଜଙ୍ଗଲ ଛାଡ଼ି ଗାଁ ମୁହାଁ ହେଉଛନ୍ତି ଏବଂ ମଣିଷ-ହାତୀ ସଂଘର୍ଷ ବଢ଼ୁଛି।

ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ଯେ, ବନ ବିଭାଗର ସଚେତନତା କାର୍ଯ୍ୟକ୍ରମ ଓ ପ୍ରତିରୋଧ ଯୋଜନାର କାର୍ଯ୍ୟକାରିତା ଆଶାନୁରୂପ ନଥିବାରୁ ଏଭଳି ପରିସ୍ଥିତି ଉପୁଜୁଛି। ତେଣୁ କେବଳ ପ୍ରଯୁକ୍ତି ନୁହେଁ, ବନରେ ହାତୀଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଓ ପ୍ରାକୃତିକ ବାସସ୍ଥାନର ସୁରକ୍ଷା ସହ ଦୀର୍ଘମିଆଦି ପଦକ୍ଷେପ ଗ୍ରହଣ କରିବାକୁ ପରିବେଶବିତ୍ ଓ ସ୍ଥାନୀୟ ଲୋକମାନେ ଦାବି କରୁଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)