ଅକ୍ଷର ବ୍ୟୁରୋ: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସରକାରଙ୍କ ୨ ବର୍ଷ ପୂର୍ତ୍ତି ପାଳନ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଜୁନ୍ ୧୨ ତାରିଖରେ ରାଜ୍ୟ ସରକାରଙ୍କର ୨ ବର୍ଷ ପୂର୍ତ୍ତି ପାଳନ କରାଯିବ । ଏଥିପାଇଁ ଜୁନ୍ ୧୨ରୁ ୨୧ ପର୍ଯ୍ୟନ୍ତ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବିଭିନ୍ନ ବିଭାଗର ସଫଳତାକୁ ସନ୍ନିବେଶିତ କରି ଶକ୍ତି ଓଡିଶା, ସମୃଦ୍ଧ କୃଷି ଓଡିଶା, ସୁସ୍ଥ ଓଡିଶା, ନିର୍ମାଣ ଓଡିଶା, ଉତ୍କର୍ଷ ଓଡିଶା, ଜନଶକ୍ତି ଓଡିଶା ଏବଂ କୌଶଳ ଓଡିଶା ଆଦି ଏହି ୭ଟି ଥିମ୍ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ । ଏଥିସହିତ ୨୦୨୬ରୁ ୨୦୩୬ ପର୍ଯ୍ୟନ୍ତ ସରକାରଙ୍କ ଲକ୍ଷ୍ୟ ଏବଂ ଆଭିମୁଖ୍ୟ ଗୁଡିକ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ୍ ରହିବ ।
ବିଭାଗୀୟ ମନ୍ତ୍ରୀମାନେ ୨ ବର୍ଷ ମଧ୍ୟରେ ନିଜ ନିଜ ବିଭାଗରେ ହାସଲ ହୋଇଥିବା ସଫଳତା ବିଷୟରେ ସାମ୍ବାଦିକ ସମ୍ମିଳନୀ କରିବା ସହିତ ବିଭାଗ ଗୁଡିକର ସଫଳତା ସମ୍ପର୍କିତ ଲିଫଲେଟ୍, ପୁସ୍ତିକା ପ୍ରକାଶନ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ମାଧ୍ୟମରେ ରାଜ୍ୟର ସମୃଦ୍ଧି ଓ ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ଆମର ଯେଉଁ ଆଭିମୁଖ୍ୟ ରହିଛି, ତାହା ଲୋକଙ୍କ ପାଖରେ ପହଞ୍ଚାଇବାରେ ଆମେ ସଫଳ ହେବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଯେହେତୁ ବର୍ତ୍ତମାନ ପଶ୍ଚିମ-ଏସିଆ ପରିସ୍ଥିତି ଯୋଗୁ ସମଗ୍ର ଦେଶ ଏକ ସଂକଟମୟ ପରିସ୍ଥିତି ଦେଇ ଗତି କରୁଛି, ସେଥିପାଇଁ ଏହି ଉତ୍ସବକୁ ନିରାଡମ୍ବର ଭାବେ ପାଳନ କରାଯିବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଏଥିସହିତ ବ୍ୟାପକ ଉତ୍ସବ ପାଳନ ବଦଳରେ ୨ ବର୍ଷର ଉପଲବ୍ଧି ଉପରେ ଅଧିକ ଫୋକସ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ସରକାରଙ୍କ ଏହି ଉପଲବ୍ଧି ହେଉଛି ଲୋକଙ୍କ ପାଇଁ, ତେଣୁ ଏହି ସଫଳତା ଯେପରି ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ କାର୍ଯ୍ୟକ୍ରମ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏଥିପାଇଁ ପ୍ରିଣ୍ଟ, ଇଲୋକ୍ଟ୍ରୋନିକ୍ସ, ସାମାଜିକ ଗଣମାଧ୍ୟମରେ ସରକାରଙ୍କ ଉପଲବ୍ଧିର ପ୍ରସାର ସହିତ ପୁସ୍ତିକା ପ୍ରକାଶନ କରାଯିବ । ଏଥିସହିତ କାର୍ଯ୍ୟକାରୀ ହୋଇଥିବା ପ୍ରତ୍ୟେକ ଜନକଲ୍ୟାଣକାରୀ ଯୋଜନା ମାଧ୍ୟମରେ ସାଧାରଣ ଲୋକ କିଭଳି ଉପକୃତ ହେଉଛନ୍ତି ତାର ଚିତ୍ର ସର୍ବସାଧାରଣକୁ ଆଣିବା ପାଇଁ ବୈଠକରେ ଗୁରୁତ୍ବାରୋପ ହୋଇଥିଲା । ବୈଠକରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ଏବଂ ବିଭିନ୍ନ ବିଭାଗର ସଚିବସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।












Leave a Reply