ଅକ୍ଷର ବ୍ୟୁରୋ: ରାଜ୍ୟରେ କାଳବୈଶାଖୀ ସାଙ୍ଗକୁ କଲବଲ କରୁଛି ତାତି । ଦିନରେ ତାପମାତ୍ରା ବଢ଼ିବା ସହ ରାତିରେ ବର୍ଷା ପବନର ଡର ରହୁଛି । ତେବେ ଆଗକୁ ୨ ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗୁରୁବାର ବଲାଙ୍ଗୀରରେ ୪୦.୩, ସମ୍ବଲପୁରରେ ୪୦.୨, ଝାରସୁଗୁଡ଼ାରେ ୩୯.୬, ନୂଆପଡ଼ା ଓ ଭବାନୀପାଟଣାରେ ୩୯.୫ ଡିଗ୍ରୀ ରେକର୍ଡ ହୋଇଛି । ଅନ୍ୟପଟେ ଶୁକ୍ରବାର ଉତ୍ତର ଓଡ଼ିଶାର ବହୁ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ । ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର, ଢେଙ୍କାନାଳରେ ଝଡ଼ ବର୍ଷା ଆଶଙ୍କା ଅଛି । ୪୦ରୁ ୫୦ କିମି ବେଗରେ ପବନ ବି ବହିପାରେ । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ବର୍ଷା ଆଶଙ୍କା ଅଛି । ୧୬ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିକ୍ଷିପ୍ତ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।
୧୯ ତାରିଖ ଯାଏ ଉତ୍ତର ଓଡ଼ିଶାର ବହୁ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସ୍ପଷ୍ଟଚିହ୍ନିତ ଲଘୁଚାପ ପ୍ରଭାବରେ ମୌସୁମୀ ଅଗ୍ରସର ହୋଇପାରେ । ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଓ ଆଣ୍ଡାମାନ ନିକୋବର ଦୀପକୁ ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।












Leave a Reply