ଓଡ଼ିଶାରେ ତୈଳ ସଙ୍କଟ: ଆଜି ଲୋକସେବା ଭବନରେ ଯୋଗାଣ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ; ଆଗାମୀ ୧୩ ଦିନ ପାଇଁ ଆବଶ୍ୟକ ଷ୍ଟକ୍ ଉପଲବ୍ଧ ରହିଛି କହିଲେ ମନ୍ତ୍ରୀ ।

ଅକ୍ଷର ବ୍ୟୁରୋ: ଓଡ଼ିଶାରେ ସମ୍ଭାବ୍ୟ ତୈଳ ସଙ୍କଟ ପରିସ୍ଥିତିକୁ ନଜରରେ ରଖି ଆଜି ଲୋକସେବା ଭବନରେ ରାଜ୍ୟ ଖାଦ୍ୟ ଯୋଗାଣମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରାୟତ ତୈଳ କମ୍ପାନୀର ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଯୋଗାଣ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀ ଏବଂ ରାଷ୍ଟ୍ରାୟତ ତୈଳ କମ୍ପାନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା, ଯୋଗାଣ ବ୍ୟବସ୍ଥା ଏବଂ ସାଧାରଣ ଲୋକଙ୍କୁ ନିରବଚ୍ଛିନ୍ନ ଭାବେ ଇନ୍ଧନ ସୁବିଧା ପହଞ୍ଚାଇବା ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି ।

ଏହି ପରିପେକ୍ଷୀରେ ରାଜ୍ୟବାସୀଙ୍କୁ ଆଶ୍ୱସନା ଦେଇ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଓ ଡିଜେଲ ମହଜୁଦ ଅଛି ଏବଂ ଆଗାମୀ ୧୩ ଦିନ ପାଇଁ ଆବଶ୍ୟକ ଷ୍ଟକ୍ ଉପଲବ୍ଧ ରହିଛି । ତେଣୁ ରାଜ୍ୟବାସୀଙ୍କୁ ଅନୁରୋଧ, କୌଣସି ପ୍ରକାର ଗୁଜବ କିମ୍ବା ଭୟରେ ବିଶ୍ୱାସ ନକରି ଆବଶ୍ୟକତା ଅନୁସାରେ ତୈଳ କ୍ରୟ କରନ୍ତୁ ଏବଂ ପେଟ୍ରୋଲ ପମ୍ପରେ ଅନାବଶ୍ୟକ ଭିଡ଼ ସୃଷ୍ଟି କରନ୍ତୁ ନାହିଁ । ଏହା ସହିତ ସହରାଞ୍ଚଳରେ PNG ବ୍ୟବହାରକୁ ଅଧିକ ସୁଦୃଢ଼ କରିବା ଏବଂ ଯେଉଁଠାରେ PNG ସୁବିଧା ଉପଲବ୍ଧ ଅଛି, ସେଠାରେ ପର୍ଯ୍ୟାୟକ୍ରମେ LPG ବ୍ୟବହାର କମାଇବା ନେଇ ମଧ୍ୟ ଆଲୋଚନା ହୋଇଛି ।

ସେପଟେ ଡିପୋରେ ତେଲ ମହଜୁଦ ଥିବା କହିଛନ୍ତି ଉତ୍କଳ ପେଟ୍ରୋଲିଅମ୍ ଡିଲର୍ ଆସୋସିଏସନ୍ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ । ଅଧିକ ଚାହିଦା ଥିବାରୁ ପରିବହନରେ ବିଳମ୍ବ ହେଉଛି । ଆସନ୍ତକାଲି ସନ୍ଧ୍ୟା ସୁଦ୍ଧାସବୁ ସ୍ଵାଭାବିକ ହୋଇଯିବ । ଲୋକେ ଛାନିଆ ହୋଇ ଆବଶ୍ୟକତାରୁ ଅଧିକ ତେଲ ପକାଉ ଥିବାରୁ ସଙ୍କଟ ସୃଷ୍ଟି ହୋଇଛି । ରାଜ୍ୟରେ ୩ ହଜାରଟି ପେଟ୍ରୋଲ ପମ୍ପ୍ ରହିଥିବା ବେଳେ ଓଡ଼ିଶାରେ ଦୈନିକ ୪୪ଲକ୍ଷ ୭୦ ହଜାର ଲିଟର ପେଟ୍ରୋଲ ଓ ଏକ କୋଟି ୧୨ ଲକ୍ଷ ୩୯ ହଜାର ଲିଟର ଡିଜେଲ୍ ବିକ୍ରି ହୋଇଥାଏ । ହେଲେ ଲୋକଙ୍କ ମଧ୍ୟରେ ପାନିକ୍ ବାୟିଂ ଯୋଗୁ ଏଭଳି ଅବସ୍ଥା ହେଉଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)